Advertisement

ଖୋର୍ଦ୍ଧା ୧୦/୧୦: ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ମୋରମ ଖନନ ଓ ପରିବହନ ବିରୋଧରେ ପୁଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି।

ଗତ ୯ ତାରିଖ ରାତିରେ ଦୁଇଟି ସ୍ଥାନରେ ଚାଲିଥିବା ବେଆଇନ ମୋରମ ଖଣି ଉପରେ ଚଢ଼ାଉ କରାଯାଇ ୭ଟି ଜେସିବି ମେସିନ୍‌ ଓ ୫ଟି ହାଇୱା ଜବତ କରାଯିବା ସହ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଇନଫୋଭ୍ୟାଲି ଓ ଶିଳ୍ପାଞ୍ଚଳ ଥାନା ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, କୁମ୍ଭାରବସ୍ତ ଗ୍ରାମ ନିକଟ ୱଣ୍ଡରଲା ୱାଟର ପାର୍କ ପଛପଟେ ବେଆଇନ ଭାବେ ମୋରମ ଖନନ ଚାଲିଥିବା ପୁଲିସ ଖବର ପାଇ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୬ଟି ଜେସିବି ଓ ୩ଟି ହାଇୱା ଜବତ ହେବା ସହ ୬ ଜଣ ଗିରଫ ହୋଇଛନ୍ତି। ସେହିପରି ଅନ୍ୟ ଏକ ଘଟଣାରେ ଖୋର୍ଦ୍ଧା ଜିଲ୍ଲା ଅରଙ୍ଗ-ମଧୁପୁର ଗ୍ରାମ ନିକଟ ଜଙ୍ଗଲ ଅଞ୍ଚଳରେ ବେଆଇନ ମୋରମ ଖନନ ଚାଲିଥିବା ନେଇ ପୁଲିସ ଚଢ଼ାଉ କରିଥିଲା। ଗୋଟିଏ ଜେସିବି ଓ ଦୁଇଟି ହାଇୱା ଜବତ କରାଯାଇଛି। ଏହି ଘଟଣାରେ ଆଉ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଖଣି ଖନନ ଓ ଖଣିଜ ପଦାର୍ଥ ପରିବହନକୁ ନେଇ ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Advertisement

Leave a Reply

Your email address will not be published. Required fields are marked *