ଜଟଣୀ, ୨୬/୬: ଜଟଣୀରେ ବସବାସ କରୁଥିବା ସିହା ସମ୍ପ୍ରଦାୟର ଭାଇଭଉଣୀ ମାନେ, ନିଜ ଧର୍ମ ଗୁରୁ ଇମାମ୍ ହୁସେନ୍ ଙ୍କ ବଳିଦାନକୁ ମନେ ପକେଇ ପାଳନ କରିଛନ୍ତି ମହରମ ପର୍ଵ।ଇସଲାମ୍ ଧର୍ମ ଗୁରୁ ଇମାମ୍ ହୁସେନ୍ ସବୁବେଳେ ଲୋକଙ୍କୁ ସତ୍ ମାର୍ଗରେ ଚାଲିବା ପାଇଁ କହୁଥିଲେ ଓ ଇରାକ୍ ର ଶାସକ ୟଜିଦ୍ ଙ୍କ ପାପ ମାର୍ଗକୁ ଅନୁସରଣ ନ କରିବା ପାଇଁ ସବୁବେଳେ ଲୋକଙ୍କୁ ଉପଦେଶ ଦେଉଥିଲେ।

ୟାଜିଦ୍ ର ପାପ ମାର୍ଗକୁ ସମର୍ଥନ ନ କରିବାରୁ ୬୮୦ ଖ୍ରୀଷ୍ଟାବ୍ଦ ୧୦ତାରିଖ ଦିନ ଇରାକ୍ ର କରବଲା ଠାରେ ଅତ୍ୟାଚାରୀ ଶାସକ ୟଜିଦ୍ ଇସଲାମ ଧର୍ମ ଗୁରୁ ଇମାମ ହୁସେନଙ୍କ ସହିତ ୭୨ଜଣ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ଏଥିରୁ ୬ମାସର ଶିଶୁ ମଧ୍ୟ ବର୍ତ୍ତି ନଥିଲେ। ମାନବ ସମାଜକୁ ସତ୍ ମାର୍ଗରେ ନେବାକୁ ଯାଇ ଧର୍ମ ଗୁରୁ ଇମାମ୍ ହୁସେନ୍ ନିଜ ଜୀବନକୁ ବଳିଦାନ ଦେଇଥିବାରୁ ତାଙ୍କରି ବଳିଦାନକୁ ମନେ ପକେଇ ସିହା ସମ୍ପ୍ରଦାୟର ଭାଇ ଭଉଣୀମାନେ ଦୀର୍ଘ ଅଢେଇ ମାସ କଳା ବସ୍ତ୍ର ପରିଧାନ କରିଥାନ୍ତି ଓ ମହିଳା ମାନେ ହାତରୁ ଚୁଡ଼ି ଓ ବେକରୁ ମଙ୍ଗଳସୁତ୍ର କାଢି ଦେଇଥାନ୍ତି। ଆଜି ଜଟଣୀ ବାଲିଛକ ସାହି ହୁସେନି ଇମାମବାଡାରୁ ଏକ ମାତମ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସିହା ସମ୍ପ୍ରଦାୟର ପୁରୁଷ ମାନେ ବ୍ଲେଡ଼ ଓ ଶିଙ୍କୁଳି ଦ୍ୱାରା ନିଜ ଶରୀରକୁ ଆଘାତ କରି ରକ୍ତାକ୍ତ କରିଥିଲେ ଓ ମହିଳା ମାନେ ନିଜ ଛାତିକୁ ପାପୁଲିରେ ପିଟି ଧର୍ମ ଗୁରୁଙ୍କ ନାମ ନେଉଥିଲେ।

