Advertisement

ଜଟଣୀ, ୦୧/୧୦ : ଜଟଣୀ ଗଣେଶ ପୂଜା ଭସାଣି ଶୋଭାଯାତ୍ରା ଘଟିଥିବା ଅଘଟଣ ମାମଲାରେ ଜଟଣୀ ପୋଲିସ ଘଟଣାର ତଦନ୍ତ କରି ଆଜି ୨ଟି ଡିଜେ କୁ ଜବତ କରିବା ସହ ସମ୍ପୃକ୍ତ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ ଜଟଣୀରେ ଗଣେଶ ପୂଜା ଭସାଣି ଚାଲିଥିବା ସମୟରେ, ଜଟଣୀ ମୁଖ୍ୟ ରାସ୍ତାରେ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ କୋଠା ନିକଟରେ ଦୁଇଟି ଡିଜେ ଗାଡ଼ି ଅତ୍ୟଧିକ ଶବ୍ଦରେ ବାଜୁଥିଲା। ଏହି ଶବ୍ଦର ପ୍ରଚଣ୍ଡ କମ୍ପନ ଯୋଗୁଁ ବ୍ୟାଙ୍କ କୋଠାର ସମ୍ମୁଖ ଭାଗର ଏକ ଅଂଶ ଖସିପଡ଼ି ସେଠାରେ ଠିଆ ହୋଇଥିବା ଲୋକଙ୍କ ଉପରେ ପଡ଼ିଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ ଏବଂ ଗୁରୁତର ଆହତ ହୋଇଥିବା ୨୪ ବର୍ଷୀୟ ଯୁବକ ବିଶ୍ବଜିତ୍ ବାରିକଙ୍କୁ ପ୍ରଥମେ ଜଟଣୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ବାପା ସୁଶାନ୍ତ ବାରିକଙ୍କ ଲିଖିତ ଏତଲା କ୍ରମେ ଜଟଣୀ ଥାନାରେ ମାମଲା ରୁଜୁ ହୋଇଥିଲା ।

ଜଟଣୀ ଗଣେଶ ପୂଜା ପ୍ରସ୍ତୁତ ବୈଠକରେ ପୋଲିସ ପକ୍ଷରୁ ଡିଜେ ଏବଂ ବ୍ୟାଣ୍ଡ ପାର୍ଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲେ ସୁଦ୍ଧା, ପୋଲିସର ବାରଣକୁ ବେଖାତିର କରି ଡିଜେ ମାଲିକମାନେ ପୂଜା କମିଟି ସଦସ୍ୟଙ୍କ ସହ ମିଶି ବିନା ଅନୁମତିରେ ଅତ୍ୟଧିକ ଶବ୍ଦରେ ଡିଜେ ବଜାଇଥିଲେ, ଯାହା ଏହି ଅଘଟଣର ମୁଖ୍ୟ କାରଣ ସାଜିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୋଲିସ ଢେଙ୍କାନାଳ ଏବଂ ବାଲେଶ୍ବରରୁ ସମ୍ପୃକ୍ତ ଦୁଇଟି ଡିଜେ ଗାଡ଼ିକୁ ଠାବ କରିବା ସହ ଉଭୟ ଗାଡ଼ିର ମାଲିକମାନଙ୍କୁ କାବୁ କରିଛି। ଉକ୍ତ ପୂଜା କମିଟି ସଦସ୍ୟମାନଙ୍କ ସମ୍ପୃକ୍ତି ମଧ୍ୟ ସୃଷ୍ଟ ହୋଇଛି। ସଂଗୃହୀତ ପ୍ରମାଣ ଏବଂ ପଚରାଉଚରା ବେଳେ ଦୋଷ ସ୍ବୀକାର ଆଧାରରେ ଉକ୍ତ ଦୁଇ ଡିଜେ ମାଲିକ ଅରୁଣ କୁମାର ପ୍ରଧାନ ଏବଂ ପ୍ରିୟବ୍ରତ ଦାଶଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବର୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

Advertisement

Leave a Reply

Your email address will not be published. Required fields are marked *