Advertisement

ଖୋର୍ଦ୍ଧା, ୨୬/୮: ଖୋର୍ଦ୍ଧା ସିଗମା ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ନେହ ଓ ସମ୍ପର୍କର ପର୍ବ ରକ୍ଷା ବନ୍ଧନ ପାଳିତ ହୋଇ ଯାଇଛି। ଛାତ୍ରଛାତ୍ରୀ ମାନେ ରାମକୃଷ୍ଣ ଗୋଧାମକୁ ଯାଇ ସେଠାରେ ରହିଥିବା ଗୋ ମାତା ଓ ବଳଦଙ୍କୁ ପୂଜା କରିବା ସହ ରାକ୍ଷୀ ବାନ୍ଧି ଏକ ନିଆରା ପରମ୍ପରାର ପରିଚୟ ସୃଷ୍ଟି କରିଛନ୍ତି। 

ରାକ୍ଷୀ ପୂର୍ଣ୍ଣିମାକୁ ବା ଗହ୍ମା ପୂର୍ଣ୍ଣିମାରେ  ମହାପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ ଭାବେ ପାଳିତ ହୋଇଥାଏ। ପୁରାତନ ପରମ୍ପରା ଅନୁଯାୟୀ ଏହି ଦିନ ଗୋମାତାଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଏହି ପରମ୍ପରାକୁ ବଜାୟ ରଖିବା ଓ ଛାତ୍ରଛାତ୍ରୀଙ୍କ ମନରେ ଗୋ ସୁରକ୍ଷା ଓ ଜୀବଦୟାର ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଗୋ ପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଗୋମାତା ଓ ବଳଦଙ୍କୁ ହଳଦୀ ପାଣିରେ ସ୍ନାନ କରାଇ, ଚନ୍ଦନ, ସିନ୍ଦୂର ଓ ଫୁଲ ଲଗାଇଥିଲେ। ପରେ ବେଦମନ୍ତ୍ର ଉଚ୍ଚାରଣ ସହ ପୂଜାର୍ଚ୍ଚନା କରି ରାକ୍ଷୀ ବାନ୍ଧିବା ସହ ଫଳ ଅର୍ପଣ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ତୁଷାର ରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ଲିମନ୍ ବଡ଼ଜେନା, ଶୁଭଦର୍ଶିନୀ ଦାଶ, ଦୀପ୍ତି ରଞ୍ଜନ ରଣା, ମାନସ ରଞ୍ଜନ ମହାପାତ୍ର ଏବଂ ଗୋଧାମର ଆବାହକ ରାଧାମୋହନ ପ୍ରଧାନ, ଉଡ଼ିତ୍ୟ ନାରାୟଣ ପ୍ରହରାଜ, ସୌମ୍ୟ ରଞ୍ଜନ ସ୍ୱାଇଁ ପ୍ରମୁଖ ଛାତ୍ରଛାତ୍ରୀଙ୍କ ସହ ମିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରକ୍ଷାବନ୍ଧନ ପୂର୍ବରୁ ଅନୁଷ୍ଠାନର ଛାତ୍ରୀ ଶ୍ରିର୍ତିକା ମହାନ୍ତି, ଶୁଭଲକ୍ଷ୍ମୀ ରଣା, ସଂପନ୍ନା ପ୍ରଧାନ, ଅଭିଲିପ୍ସା ଲେଙ୍କା, ପଦ୍ମିନୀ ଜେନା, ତୃପ୍ତିମୟୀ ସ୍ୱାଇଁ, ଅନନ୍ୟା ମଲ୍ଲିକ ପ୍ରମୁଖ ନିଜ ହାତରେ ବିଭିନ୍ନ ପ୍ରକାରର ରାକ୍ଷୀ ପ୍ରସ୍ତୁତ କରିଥିଲେ। ଶିକ୍ଷୟିତ୍ରୀ ସୁମିତା ତ୍ରିପାଠୀ ଓ ବର୍ଣ୍ଣାଳୀ ମାଜି ଛାତ୍ରୀମାନଙ୍କୁ ରାକ୍ଷୀ ପ୍ରସ୍ତୁତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ। ପରେ ଛାତ୍ରୀମାନେ ବିଦ୍ୟାଳୟର ଭାଇମାନଙ୍କୁ ଚନ୍ଦନ ଓ ସିନ୍ଦୂର ଲଗାଇ ପୂଜା କରି ରାକ୍ଷୀ ବାନ୍ଧିବା ସହ ମିଠା ଖୁଆଇଥିଲେ। ଅନୁଷ୍ଠାନର ଚେୟାରମ୍ୟାନ୍ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ପବିତ୍ର ରକ୍ଷାବନ୍ଧନ ଅବସରରେ ଭାଇ-ଭଉଣୀଙ୍କ ସ୍ନେହର ଡୋରି ସହ ଗୋ ପୂଜନର ମହତ୍ତ୍ୱ ଓ ଗୋ ସୁରକ୍ଷା ପରମ୍ପରା ସମ୍ପର୍କରେ ଛାତ୍ରଛାତ୍ରୀ ଓ ସମସ୍ତଙ୍କୁ ସଚେତନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *