ଖୋର୍ଦ୍ଧା, ୯/୧୦: ଟାଟା ପାୱାର ପକ୍ଷରୁ ବାରମ୍ବାର ଛଟେଇ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି।

ଖୋର୍ଦ୍ଧା ବିଦ୍ୟୁତ ଡିଭିଜନ ଅଧୀନରେ ଥିବା ୧୮ଟି ସେକ୍ସନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କୁ ପ୍ରତିବର୍ଷ ଛଟେଇ କରାଯାଉଥିବା ଅଭିଯୋଗ କରି, ଏହାର ପ୍ରତିବାଦରେ କର୍ମଚାରୀମାନେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଦୀର୍ଘ ୧୫ରୁ ୨୦ ବର୍ଷ ଧରି ବିଦ୍ୟୁତ ବିଭାଗରେ ବିଭିନ୍ନ କାର୍ଯ୍ୟ କରିଆସୁଛନ୍ତି।

ଏଥିରେ ଲାଇନମ୍ୟାନ୍, ମିଟର ରିଡର, ବିଲ୍ କଲେକ୍ଟର ଓ ଏମ୍ଏମ୍ଜି କର୍ମଚାରୀ ସାମିଲ ଅଛନ୍ତି। ଦୀର୍ଘବର୍ଷ ଧରି ବିଦ୍ୟୁତ ସେବା ସହ ଜଡ଼ିତ ରହିବା ସତ୍ତ୍ୱେ ପ୍ରତିବର୍ଷ ସେମାନଙ୍କୁ ଛଟେଇର ସମ୍ମୁଖୀନ ହେବାକୁ ପଡ଼ୁଥିବା ସେମାନେ ଅଭିଯୋଗ କରିଛନ୍ତି।


