Advertisement

ଜଟଣୀ, ୨୩।୧୧: ଥଣ୍ଡା ପାନୀୟରେ ନିଶା ଦେଇ ସହପାଠୀନିଙ୍କୁ ଦୁଷ୍କର୍ମ କରିବା ସହ ଆପତ୍ତିଜନକ ଫୋଟୋ, ଭିଡିଓ ଭାଇରାଲ କରି ଦେବାର ଧମକ ଦେଇ ବ୍ଲାକମେଲ କରିବା ଅଭିଯୋଗରେ ଜଟଣୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲା ମୟୂରଭଞ୍ଜ ଜିଲା ବିଷୋଇ ଥାନା ବାଙ୍କି ଗ୍ରାମର ପ୍ରଭାତ ରଞ୍ଜନ ପାତ୍ର। ସେ ଜଟଣୀ ଥାନା ଅଧିନ ଜଗନ୍ନାଥ ବିହାର ଅଞ୍ଚଳରେ ପିଜି ଘରେ ରହୁଥିଲା।

ମିଳିଥିବା ସୂଚନା ମୁତାବକ ୨୯ ବର୍ଷୀୟା ପୀଡ଼ିତା ମହିଳାଙ୍କ ସ୍ବାମୀ ବିଦେଶରେ କାର୍ଯ୍ୟ କରୁଛନ୍ତି। ମହିଳା ଜଣଙ୍କ ତାଙ୍କ ୬ ବର୍ଷର ପୁଅ ସହ ଭୁବନେଶ୍ଵରରେ ରହୁଛନ୍ତି। ପୀଡିତା ମହିଳା ଗତ ମାର୍ଚ୍ଚ ୧୩ ତାରିଖରେ ସ୍ଵଳ୍ପକାଳୀନ ସିଭିଲ ଇଞ୍ଜିନିୟରିଂ କୋର୍ସରେ ନାମ ଲେଖାଇଥିଲେ।  ସେହି ବ୍ୟାଚ୍‌ର ପଢ଼ୁଥିବା ପ୍ରଭାତ ରଞ୍ଜନ ପାତ୍ର କ୍ୟାମ୍ପସ୍ ଭିତରେ ପୀଡ଼ିତାଙ୍କୁ ବାରମ୍ବାର ଅସଦାଚରଣ କରିବା ସହ ଏଡିଟ୍ ହୋଇଥିବା ଆପରିଜନକ ଫଟୋ ଦେଖାଇ ବ୍ଲାକ୍‌ମେଲ୍ କରିଆସୁଥିଲା। ଗତ ଜୁଲାଇ ୩୧ ତାରିଖରେ ପୀଡ଼ିତା ଓ ତାଙ୍କର ତିନି ଜଣ ସାଙ୍ଗ ଜଟଣୀ ଜଗନ୍ନାଥ ବିହାର ସ୍ଥିତ ଅଭିଯୁକ୍ତର ପିଜି ଘରେ ଏକ ଛୋଟ ମଧ୍ୟାହ୍ନ ଭୋଜନ ପାର୍ଟି ରେ ଯୋଗ ଦେଇଥିଲେ। ଉକ୍ତ ଦିନ ଅଭିଯୁକ୍ତ ଜାଣିଶୁଣି ଏକ ଥମ୍ ଅପ୍ ବୋତଲରେ ନିଶାଦ୍ରବ୍ୟ ମିଶାଇ ପୀଡ଼ିତାଙ୍କୁ ପିଇବାକୁ ଦେଇଥିଲା। ଏହା ପିଇବା ପରେ ପୀଡ଼ିତା ଅସୁସ୍ଥ ଓ ଅଚେତ ଅବସ୍ଥାକୁ ଚାଲିଯାଇଥିଲେ ଏବଂ ଅନ୍ୟ ସାଙ୍ଗମାନେ ସେଠାରୁ ଚାଲିଯିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଇଚ୍ଛା ବିରୋଧରେ ଦୁଷ୍କମ କରିଥିଲା। ପରବର୍ତ୍ତୀ ସମୟରେ ସେହିଦିନ ରାତି ପ୍ରାୟ ୧୦ ଟାରେ ଅଭିଯୁକ୍ତ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ତାଙ୍କ ଆପତ୍ତିଜନକ ଭିଡିଓ ପରିବାର ଲୋକଙ୍କୁ ଦେଖାଇ ଦେବାକୁ ଧମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ଗତ ସେପ୍ଟେମ୍ବର ୦୯ ତାରିଖରେ କୋର୍ସ ଶେଷ ହେବା ପରେ ମଧ୍ଯ ଅଭିଯୁକ୍ତ ବାରମ୍ବାର ଫୋନ୍ କରି ସମ୍ପର୍କ ରଖିବାକୁ ଓ ଫଟୋ ପଠାଇବାକୁ ଚାପ ପକାଇ ପିଡ଼ିତାଙ୍କୁ ମାନସିକ ନିର୍ଯାତନା ଦେଇଆସୁଥିଲା। ଏନେଇ ଗତ ୦୩.୧୧.୨୦୨୬ ସନ୍ଧ୍ୟା ସମୟରେ ପୀଡ଼ିତା ଜଟଣୀ ଥାନାରେ ଲିଖିତ ଏତଲା ପ୍ରଦାନ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୋଲିସ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲା। ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ପୋଲିସ ଅଭିଯୁକ୍ତ ପ୍ରଭାତ ରଞ୍ଜନ ପାତ୍ରକୁ କାବୁ କରିଥିଲା ଏବଂ ପଚରାଉଚରା ବେଳେ ସେ ନିଜ ଦୋଷ ସ୍ବୀକାର କରିଥିଲା। ଏନେଇ ପୋଲିସ୍ ୫୭୫/୨୦୨୬ରେ ଏକ ମାମଲା ରୁଜୁ କରି ପ୍ରଭାତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisement

Leave a Reply

Your email address will not be published. Required fields are marked *