ଜଟଣୀ, ୧୫।୯: ଓଡ଼ିଶା ସର୍ଭିସ୍ ସେଣ୍ଟର୍ ଫର୍ ଦି ଦିବ୍ୟାଙ୍ଗ ପିପୁଲ୍, ପୁରୀ ଓ କଳିଙ୍ଗ ଯୁବ ପରିଷଦ ସହଯୋଗରେ ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ, ଦିବ୍ୟାଙ୍ଗ ଭଜନ ସମାରୋହ ଓ ମହାପ୍ରଭୁଙ୍କ କଥାମୃତ କାର୍ଯ୍ୟକ୍ରମ ସ୍ଥାନୀୟ ଶରତ ପାଇକରାୟ ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଛି।

ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ପରେ ଦିବ୍ୟାଙ୍ଗ ଦୃଷ୍ଟିବାଧିତ ଭାଇ ଓ ଭଉଣୀମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରାଯାଇଥିଲା। ପ୍ରତେକ ଦିନ ସନ୍ଧ୍ୟା ୬ଟା ସମୟରେ ମହାପ୍ରଭୁଙ୍କ ଦିବ୍ୟ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବା ପରେ ସନ୍ଧ୍ୟା ୬ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଦୃଷ୍ଟିବାଧିତ ଭାଇ ଓ ଭଉଣୀମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରାଯିବା ସହିତ ରାତି ୧୦ଟାରେ ମହାପ୍ରଭୁଙ୍କ ବଡ଼ସିଂହାର ପହୁଡ଼ ଆଳତୀ ପରେ ଦୈନିକ କାର୍ଯ୍ୟକ୍ରମ ସମାପନ ହେବ। ମହୋତ୍ସବ ଅବସରରେ ଶ୍ରୀଜଗନ୍ନାଥଙ୍କ ଦୈନିକ ନୀତିକାନ୍ତି ଓ ତିଥି ଅନୁସାରେ ବିଭିନ୍ନ ବେଶର ତାତ୍ତ୍ୱିକ ମହତ୍ତ୍ୱ ସମ୍ପର୍କରେ ଭକ୍ତମାନଙ୍କୁ ଅବଗତ କରାଯିବ। ଏହାସହ ଗୋସେବା ଓ ସୁରକ୍ଷା, ନିଶାମୁକ୍ତ ସମାଜ ଗଠନ, ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଚକ୍ଷୁଦାନ ଓ ରକ୍ତଦାନ ଭଳି ବିଭିନ୍ନ ଜନକଲ୍ୟାଣମୂଳକ ସଚେତନତା ବାର୍ତ୍ତା ଦିଆଯିବ ବୋଲି ଅନୁଷ୍ଠାନର ରାଜ୍ୟ ସଭାପତି ଭବାନୀଚରଣ ପାଢ଼ୀ ସୂଚନା ଦେଇଛନ୍ତି। ଏହି ଅନୁଷ୍ଠାନ ଗତ ୧୯ ବର୍ଷ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର-ପ୍ରସାର, ୩୨ ବେଶର ମହାତ୍ମ୍ୟ ଏବଂ ସନାତନ ବୈଦିକ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି। ଲୋକଙ୍କ ସହଯୋଗରେ ପରିଚାଳିତ ଏହି ଅନୁଷ୍ଠାନ ଦିବ୍ୟାଙ୍ଗମାନଙ୍କୁ ଖାଦ୍ୟ, ବସ୍ତ୍ର, ଉଚ୍ଚଶିକ୍ଷା, ହଷ୍ଟେଲ, ଔଷଧ ଓ ଷ୍ଟେସନାରି ଆଦି ନିଃଶୁଳ୍କ ଯୋଗାଇ ଦେବା ସହ ସେମାନଙ୍କୁ ଥଇଥାନ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମ ପ୍ରଦାନ କରୁଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଶୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଅନୁଷ୍ଠିତ ହେବ।

