Advertisement

ଖୋର୍ଦ୍ଧା, ୧୭/୧୧: ସମାଜର ଅନ୍ୟାୟ, ଅନୀତି ଓ ଅବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଜନସାଧାରଣଙ୍କ ସମସ୍ୟାକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ। ଏହି ଦାୟିତ୍ୱବୋଧ, ନିଷ୍ଠା ଓ ସଂଘର୍ଷମୟ ସାମ୍ବାଦିକତା ବୃତ୍ତିକୁ ସମ୍ମାନ ଜଣାଇ ଟାଙ୍ଗୀରେ ପାଳିତ ହୋଇଛି ଜାତୀୟ ସାମ୍ବାଦିକତା ଦିବସ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଏନ୍‌ଏସି ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ଓ ବାଲୁଗାଁ ଥାନା ନିରୀକ୍ଷିକା ଶ୍ରଦ୍ଧା ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାକ୍ତର ମଧୁସୂଦନ ସେନାପତି ଓ ସଂଘର ଉପଦେଷ୍ଟା ଭାଗିରଥି ଛୋଟରାୟ ମଞ୍ଚାସୀନ ଥିଲେ। ଟାଙ୍ଗୀ ସାମ୍ବାଦିକ ସଂଘର ସଭାପତି ରବୀନ୍ଦ୍ର କୁମାର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକୁ ସମ୍ପାଦକ ସନ୍ତୋଷ ଚୌଧୁରୀ ଓ ସହସମ୍ପାଦକ କାହ୍ନୁଚରଣ ବେହେରା ସଂଯୋଜନା କରିଥିଲେ। ନିଜ ଅଭିଭାଷଣରେ ଅତିଥିମାନେ ସାମ୍ବାଦିକତାର ଗୁରୁତ୍ୱ ଓ ସାମ୍ବାଦିକଙ୍କ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ। ସତ୍ୟ, ନିରପେକ୍ଷତା ଓ ନିର୍ଭୀକତା ହେଉଛି ସାମ୍ବାଦିକତାର ମୂଳ ଆଧାର। ଅନେକ ପ୍ରତିକୂଳ ପରିସ୍ଥିତି ଓ ଆହ୍ୱାନ ମଧ୍ୟରେ ସାମ୍ବାଦିକମାନେ ନିଜର କର୍ତ୍ତବ୍ୟ ନିର୍ବାହ କରି ସମାଜର ହିତ ସାଧନ କରୁଥିବାରୁ ସେମାନଙ୍କ ନିଷ୍ଠା ଓ ସଂଘର୍ଷ ପ୍ରଶଂସନୀୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ପ୍ରତିଭା ସମ୍ବର୍ଦ୍ଧନା ପର୍ବ। ଚାନ୍ଦପୁର ଅଞ୍ଚଳର ବହୁମୁଖୀ ପ୍ରତିଭାସମ୍ପନ୍ନ ଯୁବଗୋଷ୍ଠୀ WANGS-02, ଯୁବ କଳାକାର ବିଭୂପାଦ ରାଉତ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ହାସଲ କରିଥିବା କୁନି ପ୍ରତିଭା ବୈଭବୀ ବିଶ୍ୱାଳ ଓ ଅତୁଲ୍ୟା ଜେନାଙ୍କୁ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିଭାକୁ ଚିହ୍ନିବା, ପ୍ରୋତ୍ସାହିତ କରିବା ଓ ସମାଜରେ ସେମାନଙ୍କ ପରିଚୟକୁ ଆହୁରି ମଜଭୁତ କରିବାର ଏହି ପ୍ରୟାସକୁ ଉପସ୍ଥିତ ଅତିଥି ଓ ବୁଦ୍ଧିଜୀବୀମାନେ ସ୍ୱାଗତ କରିଥିଲେ। ଏହି ଅବସରରେ ସଂଘର ସଦସ୍ୟ ମହେଶ ନାୟକ, ବିଜୟ ବାହୁବଳେନ୍ଦ୍ର, ରମେଶ ନାଇଡ଼ୁ, କୋଟିରାମ ନାଇଡ଼ୁ, ସୁଶୀଲ ପ୍ରଧାନ, ଉମାକାନ୍ତ ରଣସିଂହଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବୀ ଓ ଯୁବକ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *