ବ୍ୟୁରୋ : ସରକାର ରୋଗୀ ମାନଙ୍କ ଚିକିତ୍ସା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସାଧା ଚିରା କାଗଜରେ ମେଡ଼ିସିନ ଲେଖୁଛନ୍ତି ସରକାରୀ ଡାକ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।
ସରକାର ଜନସାଧାରଣଙ୍କ ଚିକିତ୍ସା ପାଇଁ ଓ ରୋଗ ନିରୂପଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଦାୟିତ୍ୱରେ ଥିବା ଡାକ୍ତର ମାନେ ନିଜ କର୍ତ୍ତବ୍ୟ ଠିକ ଭାବେ ପାଳନ କରୁନାହାନ୍ତି। ଯାହାର ନଗ୍ନ ଚିତ୍ର ଆଜି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ସୂଚନାମୁତାବକ ଜଟଣୀ ରାମଚନ୍ଦ୍ରପୁର ବଜାରର ସୁଶ୍ରୀ ସଂଗୀତା ନାମୀ ଜଣେ ମହିଳାଙ୍କ ଛାତି ଓ ପିଠିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ନିମନ୍ତେ ସେ ଆଜି ଭୋର ୬.୧୫ ସମୟରେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। କିନ୍ତୁ ଡାକ୍ତରଙ୍କ ରୁମର କବାଟ ଭିତରୁ ବନ୍ଦ ରହିଥିଲା।
ସେଠାରେ ଡ୍ୟୁଟି କରୁଥିବା ଜଗୁଆଳି କହିଥିଲେ ମ୍ୟାଡାମ ଶୌଚାଳୟ ଯାଇଛନ୍ତି । ମହିଳା ଜଣଙ୍କ ୩୦ ମିନିଟ ଅପେକ୍ଷା କରିବା ପରେ ନିଜେ ଡାକ୍ତରଙ୍କ ରୁମ ଡୋର ବାଡେଇଥିଲେ । ପରେ ଦାୟିତ୍ୱରେ ଥିବା ଡାକ୍ତର ଶୁଭଲଷ୍ମୀ ସାହୁ ନିଦରୁ ଉଠି, ଅଧା କବାଟ ଖୋଲି କହିଥିଲେ କଣ ହେଇଛି। ମହିଳା ତାଙ୍କ ଅସୁବିଧା କହିଥିଲେ କିନ୍ତୁ ଡାକ୍ତର ତାଙ୍କର କୌଣସି ପରୀକ୍ଷା ନକରି ଏକ ସାଧା କାଗଜରେ ମେଡ଼ିସିନ ଲେଖି କବାଟ ପୁଣି ଦେଇଦେଇଥିଲେ। ସରକାରୀ ଡାକ୍ତରଖାନାରେ ସରକାରଙ୍କ ଦ୍ଵାରା ମାଗଣାରେ ପ୍ରଦାନ କରାଯାଉଥିବା ମେଡ଼ିସିନକୁ, ଡାକ୍ତର ସରକାରୀ କାଗଜରେ ନ ଲେଖି , ସାଧା କାଗଜରେ ଲେଖିବା ପଛରେ କଣ କାରଣ ରହିଛି, ତାହାକୁ ନେଇ ସନ୍ଦେହ ଦେଖାଦେଇଛି । ଏ ନେଇ ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଡାକ୍ତର ଜିତେନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ସେ ଘଟଣା ବିଷୟରେ ପଚାରି ବୁଝିବେ।