Advertisement

ଜଟଣୀ, ୦୬/୦୮: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରି, ପରେ ବିବାହ ନକରି ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବାସହ ତାଙ୍କର ଅଶ୍ଳୀଳ ଫଟୋଗୁଡ଼ିକୁ ଭାଇରାଲ କରିବାକୁ ଧମକ ଦେବା ଘଟଣାର ଜଟଣୀ ପୋଲିସ ତଦନ୍ତ କରି ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କଟକ ତେଲେଙ୍ଗା ବଜାରର ଭାସ୍କର ସେଠୀ। ସୂଚନା ମୁତାବକ ଗତ ୨୦୨୨ ମସିହାରେ କଟକର ପୁରୀଘାଟର ତେଲେଙ୍ଗା ବଜାରର ଅଭିଯୁକ୍ତ ଭାସ୍କର ସେଠୀଙ୍କ ଠାରୁ ଜଟଣୀ ର ଜଣେ ପୀଡ଼ିତାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିଥିଲା। କିନ୍ତୁ ଭାସ୍କରଙ୍କ ଭଉଣୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ  ଭାସ୍କର ନିଜେ ପୀଡିତାଙ୍କ ସହିତ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବା ଆରମ୍ଭ କରିଥିଲେ। ତାଙ୍କ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ଏବଂ ପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଯେତେବେଳେ ପୀଡିତା ବିବାହ ବିଷୟରେ ପଚାରିଥିଲେ, ଅଭିଯୁକ୍ତ ସେ କଥା କୁ ଏଡାଇ ଯାଉଥିଲେ ଏବଂ ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କୁ ଭ୍ରମିତ କରୁଥିଲେ। ଏହି ସମୟ ମଧ୍ୟରେ, ସେ ତାଙ୍କଠାରୁ ନଗଦ ୫୦,୦୦୦/- ଟଙ୍କା, ଗୋଟିଏ କଙ୍କଣ ଏବଂ ଦୁଇଟି ସୁନା ମୁର୍ଦି ମଧ୍ୟ ନେଇଥିଲେ। ଗତ ୨୪.୦୭.୨୦୨୫ ରେ ଅଭିଯୁକ୍ତ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ପୀଡିତାଙ୍କ ସହିତ ପୁଣି ଥରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ୨୬.୦୭.୨୦୨୫ ରେ ପୀଡିତା କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ମାନସିକ ସ୍ବାସ୍ଥ୍ୟ ବିଭାଗକୁ ଯାଇଥିଲେ (ଯେଉଁଠାରେ ଭାସ୍କର ଚାକିରି କରନ୍ତି) ଏବଂ ବିବାହ ସମ୍ପର୍କରେ ତାଙ୍କ ସହିତ କଥା ହୋଇଥିଲେ। ଏହାର ଜବାବରେ ଭାସ୍କର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ ଏବଂ ତାଙ୍କର ଅଶ୍ଳୀଳ ଫଟୋଗୁଡ଼ିକୁ ଭାଇରାଲ କରିବାକୁ ଧମକ ଦେଇଥିଲେ। ଏହି ଘଟଣା ଦ୍ବାରା ବିରକ୍ତ ହୋଇ ପୀଡିତା ତାଙ୍କ ଜୀବନ ଶେଷ କରିବାକୁ ଚେଷ୍ଟା କରି ଏସସିବି ମେଡିକାଲରେ ଫିନାଇଲ୍ ପିଇ ଦେଇଥିଲେ। ଅଭିଯୁକ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ସେ ତାଙ୍କୁ ଏକା ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସୁସ୍ଥ ହେବା ପରେ ପୀଡିତା ପୁରୀଘାଟ ଥାନା ଅନ୍ତର୍ଗତ ତେଲେଙ୍ଗା ବଜାରରେ ଭାସ୍କରଙ୍କ ଘରକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ପୁଣି ଥରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ ଏବଂ ହତ୍ୟା କରିବାକୁ ଧମକ ଦେଇଥିଲେ। ପୀଡ଼ିତା ଜଟଣୀ ଥାନାରେ ଆସି ଲିଖିତ ଅଭିଯୋଗ କରିଥିଲେ।ଜଟଣୀ ପୋଲିସ ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତ ଭାସ୍କରଙ୍କୁ ଗିରଫ କରିଛି। ପଚରାଉଚରା ସମୟରେ ସେ ତାଙ୍କ ସମ୍ପୃକ୍ତି ସ୍ବୀକାର କରିଥିଲେ। ଜଟଣୀ ଥାନା କେସ ନଂ ୩୫୭, U/s-69/318(2)/296/351(2) BNS ରେ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *