ବ୍ୟୁରୋ : ଜଟଣୀ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ତରଫରୁ ଓଡ଼ିଶାର ଜୀବ ସମ୍ପଦ ଓ ତା’ର କୃଷି, ସ୍ୱଚ୍ଛ ପରିବେଶ ଓ ସ୍ୱାସ୍ଥ୍ୟ ଯତ୍ନରେ ନିରନ୍ତର ବିନିଯୋଗ ଶୀର୍ଷକ ଏକ ଆଲୋଚନା ଚକ୍ର ଆଜି ଡ. ରାଜୀବ କୁମାର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ଵବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ପ୍ରାକ୍ତନ ପ୍ରଫେସର ଓ ବର୍ତମାନ ସଂଚୁରିଅନ୍ ବିଶ୍ଵବିଦ୍ୟାଳୟର ଏମ୍ବ୍ରିଟସ୍ ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଡ. କୁଞ୍ଜବିହାରୀ ଶତପଥୀ, ମୁଖ୍ୟ ଆଧାର ପୁରୁଷ ଓ ନିମାପଡ଼ା ସ୍ଵଂୟଶାସିତ ମହାବିଦ୍ୟାଳୟର ଉଭିଦ ବିଜ୍ଞାନ ଅଧ୍ୟାପକ ଡ. ରମାକାନ୍ତ ମିଶ୍ର, ସହ ଆଧାର ପୁରୁଷ ଭାବେ ଯୋଗଦାନ କରି ଜୀବ ସମ୍ପଦର ମୂଲ୍ୟବୋଧ ଓ ଏହା କିପରି କୃଷି, ପରିବେଶ ଓ ଉତମ ସ୍ଵାସ୍ଥ୍ୟ ନିମନ୍ତେ ନିରନ୍ତର ବିନିଯୋଗ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ଡ. କରି ଛାତ୍ରଛାତ୍ରୀମାନଙ୍କୁ ଅନେକ ମୂଲ୍ୟବାନ୍ ଉପଦେଶ ଦେବା ସହିତ ଜୀବ ସମ୍ପଦର ସୁସଂରକ୍ଷଣ ଓ ନିରନ୍ତର ବିନିଯୋଗ ଉପରେ ମତବ୍ୟକ୍ତ କରିଥିଲେ । ପରୀକ୍ଷା ନିୟନ୍ତ୍ରକ ଡ. ଅନୁପ କୁମାର ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ହେବା ସହିତ ପରିବେଶ ସୁରକ୍ଷା ଓ ଜୀବ ସମ୍ପଦର ମୂଲ୍ୟବୋଧ ବୁଝାଇଥିଲେ । ପ୍ରାରମ୍ଭରେ ବିଭାଗର ଅଧ୍ୟାପିକା ଡ. ସ୍ମରଣୀକା ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ କୁମାରେଶ ଛୋଟରାୟ ପାଠଚକ୍ରର ବିବରଣୀ ଉପସ୍ଥାପନା କରିଥିଲେ । ବିଭାଗର ଅନ୍ୟ ଅଧ୍ୟାପିକା ଯାଜ୍ଞସେନୀ ସାହୁ ଓ ବିଭାଗର ଛାତ୍ରଛାତ୍ରୀଙ୍କ ସହଯୋଗରେ ସଭାପରିଚାଳନା କରିଥିଲେ ।
ସେହିପରି ଇତିହାସ ବିଭାଗ ପକ୍ଷରୁ ବ୍ରିଟିଶ ସରକାର ସମୟରେ ଭାରତରେ ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଜଟଣୀ ମହାବିଦ୍ୟାଳୟ ଅଧ୍ଯକ୍ଷ ଡ. ରାଜୀବ କୁମାର କର ଏଥିରେ ସଭାପତିତ୍ୱ କରିଥିଲେ । ଡ. ଶିବପ୍ରସାଦ ନାୟକ, ଅବସରପ୍ରାପ୍ତ ଅଧ୍ୟକ୍ଷ, ଗୋଦାବରିଶ ମହାବିଦ୍ୟାଳୟ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଜାତିପ୍ରଥାର ଉଦ୍ରେକ ଓ ସତୀଦାହ ପ୍ରଥାର ବିଲୋପ ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟତମ ବକ୍ତା ଡ. ପ୍ରଫୁଲ୍ଲ କୁମାର ରଥ, ବେଗୁନିଆ ମହାବିଦ୍ୟାଳୟ, ବେଗୁନିଆ ଯୋଗଦାନ କରି ନାରୀଶିକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ । ବିଭାଗର ମୁଖ୍ୟ ଅଜିତ୍ ସୁନ୍ଦରରାୟ ରାମ ମୋହନଙ୍କର ବ୍ରାହ୍ମ ସମାଜ ଓ ସମାଜର ଉନ୍ନତି ଉପରେ ଆଲୋକପାତ କରିଥିଲେ । ଆଲୋଚନା ଚକ୍ରରେ ଡ. ସୁଶାନ୍ତ କୁମାର ବାରିକ ଅତିଥି ପରିଚୟ ପ୍ରଦାନ ଓ ଆଲୋଚନା ଚକ୍ର ଉପରେ ବିଶେଷ ବିବରଣୀ ପାଠ କରିଥିଲେ ଏବଂ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଗବେଷଣା ସନନ୍ଦ ଉପସ୍ଥାପନ କରାଯାଇଥିଲା । ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗବେଷଣା ପ୍ରବନ୍ଧ ପାଠ କରାଗଲା ଓ ସେମାନଙ୍କୁ ମାନପତ୍ର ଦ୍ବାରା ସମ୍ମାନୀତ କରାଯାଇଥିଲା । ପରିଶେଷରେ ବିଭାଗର ଶିକ୍ଷୟିତ୍ରୀ ସନ୍ତୋଷିନୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସଭାକାର୍ଯ୍ୟରେ ଯୋଗଦାନ କରିଥିଲେ ।