ବ୍ୟୁରୋ: ପୂଜକଙ୍କୁ ପାଉଣା ନ ମିଳିବାରୁ ଆଜି ପର୍ଯ୍ୟନ୍ତ ରଥରେ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରା । ପୂଜକଙ୍କ ପାଉଣା ପାଇଁ ରଥ ଉପରୁ ମନ୍ଦିରକୁ ପ୍ରବେଶ କରି ନାହାନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥ ଉପରେ ଖରା ବର୍ଷାରେ ଅଛନ୍ତି ବଡ଼ ଠାକୁର। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ମଙ୍ଗଳାଯୋଡ଼ି ଅଞ୍ଚଳରେ।

ବାହୁଡ଼ା ଯାତ୍ରା ଜୁଲାଇ ୧୫ତାରିଖରୁ ସାରିଥିଲେ ମଧ୍ୟ, ପୂଜକଙ୍କ ପାଇଁ ମନ୍ଦିର ବାହାରେ ଅଛନ୍ତି ମହାପ୍ରଭୁ। ସୂଚନା ମୁତାବକ ପୂର୍ବରୁ ମଙ୍ଗଳାଯୋଡ଼ିରେ ରଥଯାତ୍ରା ପାଳିତ ହେଉଥିଲେ ମଧ୍ୟ କିଛି ବର୍ଷ ହେବ କୌଣସି କାରଣକୁ ରଥଯାତ୍ରା ବନ୍ଦ ହୋଇ ଯାଇଥିଲା । ଗ୍ରାମର କିଛି ଉତ୍ସାହି ଯୁବକ ଓ ଭକ୍ତଙ୍କ ସହଯୋଗରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

ବାହୁଡା ଯାତ୍ରା ପରେ ପୂଜକ ପାଉଣା ବାବଦକୁ ୮ ହଜାର ଟଙ୍କା ଦାବି କରିଥିଲେ । ରଥଯାତ୍ରା ବୁଝାସୁଝା କରୁଥିବା ଭକ୍ତମାନେ ପୂଜାକଙ୍କୁ ୨ ହଜାର ଟଙ୍କା ଦେଇଥିଲେ । ଅବଶିଷ୍ଟ ଟଙ୍କା ପୂଜକ ନପାଇବାରୁ ମହାପ୍ରଭୁଙ୍କୁ ରଥରୁ ଓହ୍ଲାଇ ମନ୍ଦିର ଭିତରକୁ ନେବା ପାଇଁ ମନା କରିଦେଇଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ରଥ ଉପରେ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହି ଘଟଣା ବହୁ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଛି।

Leave a Reply

Your email address will not be published. Required fields are marked *