ଜଟଣୀ, ୧୪/୧୧: ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁଙ୍କୁ ମସ୍କୋ ରିସର୍ଚ୍ଚ ୟୁନିଭେର୍ସିଟି, ରୁଷିଆ ତରଫରୁ ଲୋକ ପ୍ରଶାସନ, ଶ୍ରମିକ ସଂଘଠନ ନେତୃତ୍ୱ ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ଡକ୍ଟର ଅଫ୍ ଫିଲୋସୋଫି (ପିଏଚଡି) ଉପାଧି ପ୍ରଦାନ କରାଯାଇଛି।

ନଭେମ୍ବର ୧୩ ତାରିଖ ସନ୍ଧ୍ୟାରେ ୟୁନିଭେର୍ସିଟିର ମୁଖ୍ୟ ପ୍ରଭାତ କୁମାର ମହାପାତ୍ରଙ୍କ ପୌରାହିତ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ତଥା ଏନଏଫଆଇଆରର ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ଶ୍ରମିକ ସଂଗଠନ ପ୍ରତି ଉତ୍ସର୍ଗୀକୃତ ସେବା, ବିଭିର୍ନ ସାମାଜିକ ଜନକଲ୍ୟାଣ କାର୍ଯ୍ୟ ପାଇଁ ମସ୍କୋ ରିସର୍ଚ୍ଚ ୟୁନିଭେର୍ସିଟି ତରଫରୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା । ଶ୍ରୀ ସାହୁ ୧୯୮୬ ମସିହାରୁ ଶ୍ରମିକ ସଂଘଠନ ସହିତ ଯୋଡିହୋଇ କର୍ମଚାରୀଙ୍କ ହକ ଓ ମୌଳିକ ଅଧିକାର ନିମନ୍ତେ ପ୍ରଶାସନ ସହିତ ଲଢ଼େଇ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ, ତା ସହିତ ବିଭିନ୍ନ ସାମାଜିକ କଲ୍ୟାଣ ଅନୁଷ୍ଠାନରେ ସକ୍ରିୟ ଭାବେ ଯୋଡିହୋଇ ସାମାଜିକ ଦାୟିତ୍ୱ ତୁଲାଇଥିଲେ ।

ଶ୍ରୀ ସାହୁ ଡକ୍ଟରେଟ୍ ଉପାଧି ପାଇବା ପରେ ପୂର୍ବତଟ ରେଳପଥ ସମେତ ଭାରତୀୟ ରେଳରେ ଥିବା ଲକ୍ଷ ଲକ୍ଷ କର୍ମଚାରୀ ଖୁସି ଜାହିର କରିବା ସହିତ ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଖୋର୍ଦ୍ଧାରୋଡ ଠାରେ ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜଙ୍କ ନେତୃତ୍ୱରେ କର୍ମଚାରୀମାନେ ଏକାଠି ହୋଇ ଡ଼. ରମେଶ ସାହୁଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହ ସଂଯୋଜକ ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ପଦାଧିକାରୀ ଏମ ଜି କେ ରାଓ , ସୁବ୍ରତ ପଣ୍ଡା , ପ୍ରମୋଦ ସାହାଣୀ , ସତ୍ୟରଞ୍ଜନ ପଟ୍ଟନାୟକ, ମିଡିଆ ସେଲ ମୁଖ୍ୟ ତଥା ଶାଖା ସମ୍ପାଦକ ଏଲ ଡି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

