ଖୋର୍ଦ୍ଧା,୧୬/୭: ଖୋର୍ଦ୍ଧା ନିକଟସ୍ଥ ଲୋକେଶ୍ୱରପୁର ଗ୍ରାମରେ ପବିତ୍ର ରଥଯାତ୍ରା ମହୋତ୍ସବ ଭକ୍ତି, ଆଧ୍ୟାତ୍ମିକ ପରିବେଶ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ପାଇଁ ସକାଳୁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତିମୟ ପରିବେଶ ମଧ୍ୟରେ ବେଦମନ୍ତ୍ର, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଉଠିଥିଲା। ଗ୍ରାମବାସୀଙ୍କ କହିବାନୁସାରେ, ଦୁଇଜଣ ଶିଶୁ ପ୍ରଦୀପ କୁମାର ମୁଦୁଲି ଓ ସାଇ ଅବିନାଶ ଦାସଙ୍କ ଉଦ୍ୟମରେ କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ରଥଯାତ୍ରା ଆଜି ଏକ ବିଶାଳ ସାମୂହିକ ଧାର୍ମିକ ମହୋତ୍ସବରେ ପରିଣତ ହୋଇଛି। ପ୍ରତିବର୍ଷ ଗ୍ରାମବାସୀଙ୍କ ସହଯୋଗ ଓ ଶ୍ରଦ୍ଧାଳୁଙ୍କ ଭକ୍ତିଭାବ ଯୋଗୁଁ ଏହାର ପରିସର ଓ ଲୋକପ୍ରିୟତା ବୃଦ୍ଧି ପାଉଛି।ମହାପ୍ରଭୁଙ୍କ ନୀତିକାନ୍ତି, ପୂଜାର୍ଚ୍ଚନା ଓ ପାରମ୍ପରିକ ବିଧିବିଧାନ ସମାପ୍ତ ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ହଜାର ହଜାର ଭକ୍ତ “ଜୟ ଜଗନ୍ନାଥ” ଧ୍ୱନି ଦେଇ ପ୍ରାୟ ତିନି କିଲୋମିଟର ଦୂର ପର୍ଯ୍ୟନ୍ତ ରଥ ଟାଣିଥିଲେ। ମହିଳା, ପୁରୁଷ, ଶିଶୁ ଓ ବୟସ୍କ ସମସ୍ତେ ଭକ୍ତିଭାବର ସହ ରଥଟଣାରେ ସାମିଲ ହୋଇଥିବାରୁ ସମଗ୍ର ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିଲା। ରଥଯାତ୍ରା ଅବସରରେ ନଅ ଦିନ ବ୍ୟାପୀ ପ୍ରତିଦିନ ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ପାଲା, ଦାସକାଠିଆ ସମେତ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କ ସହ ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଭଜନ ଓ ପାଲା କଳାକାରମାନେ ଯୋଗଦେବେ। ଆସନ୍ତା ଜୁଲାଇ ୨୪ ତାରିଖରେ ବାହୁଡ଼ା ଯାତ୍ରା ଧାର୍ମିକ ବିଧିବିଧାନ ମଧ୍ୟରେ ଅନୁଷ୍ଠିତ ହେବ।ରଥଯାତ୍ରାରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଆଦର୍ଶ ଥାନା ପକ୍ଷରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ଓ ଆଇନଶୃଙ୍ଖଳା ବଜାୟ ରଖିବା ସହ ଯାତାୟାତ ନିୟନ୍ତ୍ରଣ ଉପରେ ମଧ୍ୟ ବିଶେଷ ନଜର ରଖାଯାଇଥିଲା। ଏହାଫଳରେ ସମଗ୍ର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶରେ ସମ୍ପନ୍ନ ହୋଇଥିଲା। ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ଅମ୍ବିକା ପ୍ରସାଦ ଦାସ, ରମେଶ ମୁଦୁଲି, କାଳିଆ, ଶଙ୍କରା, ସିନ, କୁନା, ପ୍ରଫୁଲ୍ଲ ପ୍ରମୁଖଙ୍କ ନିଷ୍ଠାପୂର୍ଣ୍ଣ ସହଯୋଗରେ ସମସ୍ତ ଆୟୋଜନ ସଫଳତାର ସହ ସମ୍ପନ୍ନ ହୋଇଥିଲା। ସେହିପରି ରଥ ନିର୍ମାଣ କାର୍ଯ୍ୟରେ ମହେଶ୍ୱର ମହାରଣାଙ୍କ ଉଲ୍ଲେଖନୀୟ ଅବଦାନକୁ ଗ୍ରାମବାସୀ ପ୍ରଶଂସା କରିଥିଲେ। ଭକ୍ତି, ପାରମ୍ପରିକତା ଓ ସାମୂହିକ ସହଯୋଗର ଅନନ୍ୟ ନିଦର୍ଶନ ପାଲଟିଥିବା ଲୋକେଶ୍ୱରପୁରର ଏହି ରଥଯାତ୍ରା ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଧାର୍ମିକ ସଦଭାବ ଓ ସାମାଜିକ ଏକତାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି।


