ବ୍ୟୁରୋ, ୨୦/୭: ଖୋର୍ଦ୍ଧାରୁ ଜଣେ ଯୁବତୀଙ୍କୁ ଲିଫ୍ଟ ଦେଇ ପରେ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ ଓ ଛୁରାମାଡ଼ ଘଟଣାରେ କମିଶନରେଟ ପୋଲିସ କୁ ମିଳିଛି ବଡ଼ ସଫଳତା। କ୍ଷତାକ୍ତ ଅବସ୍ଥାରେ ପ୍ରାୟ ୧୨ କିମି ଦୌଡ଼ି ୧୧୨କୁ ସୂଚନା ଦେବା ପରେ ପୁଲିସ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ମୋବାଇଲ ଟ୍ରାକିଂ କରି ଯୁବତୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଚାନ୍ଦପୁର ର ସୁନୀଲ ପାତ୍ର କୁ ଗିରଫ କରାଯାଇ ଏକାଧିକ ସଙ୍ଗିନ ଦଫାରେ ମାମଲା ରୁଜୁ ହୋଇଛି। ସୋମବାର ସୁନିଲ କୁ କୌର୍ଟ ଚାଲାଣ କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଛି। ସୂଚନା ମୁତାବକ, ରବିବାର ପୀଡ଼ିତା ଖୋର୍ଦ୍ଧା କଲେକ୍ଟର୍ ଛକ ନିକଟ ବସ୍ ଷ୍ଟପେଜ୍ରେ ଠିଆ ହୋଇ ଭୁବନେଶ୍ବର ଅଭିମୁଖେ ଯିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ପୀଡ଼ିତା ଅସ୍ତବ୍ୟସ୍ତ ହୋଇ ନିଜ ମୋବାଇଲ୍କୁ ବାରମ୍ବାର ଦେଖୁଥିଲେ। ଆଉ ଏ ସବୁକୁ ଦୂରରେ ଥାଇ ଅଭିଯୁକ୍ତ ସୁନୀଲ ଦେଖିଥିଲା। ପରେ ଏକୁଟିଆ ଥିବା ଯୁବତୀଙ୍କ ପାଖକୁ ଆସି ତାଙ୍କ ସହ କଥା ହୋଇଥିଲା। ଏହା ପରେ ପୀଡ଼ିତା କେଉଁଆଡ଼େ ଯିବେ ବୋଲି ସେ ପଚାରିଥିଲା। ପ୍ରଥମେ ପ୍ରଥମେ ସୁନୀଲଙ୍କ କଥାକୁ ପୀଡ଼ିତା ଏଡ଼ାଇଥିଲେ। ମାତ୍ର ଯୁବତୀଙ୍କ ମୋବାଇଲ୍ ଚାର୍ଜ ସରିବାକୁ ବସିଥିବା ବେଳେ ଅନ୍ୟ ପଟେ ଭୁବନେଶ୍ବର ଯିବାକୁ କୌଣସି ବସ୍ ଆସୁନଥିଲେ। ତେଣୁ ଅନ୍ୟ ଉପାୟ ନ ପାଇ ପୀଡ଼ିତା ସୁନୀଲର ପ୍ରସ୍ତାବରେ ରାଜି ହୋଇଥିଲେ। ଖୋର୍ଦ୍ଧାରୁ ଭୁବନେଶ୍ବର ଆସିବା ବେଳେ ପିତାପଲ୍ଲୀ ନିକଟରେ କାଜୁ ଜଙ୍ଗଲକୁ ଗାଡ଼ି ମୁହାଁଇଥିଲେ। ଭୁବନେଶ୍ବରକୁ ସିଧା ରାସ୍ତା ଥିବା ବେଳେ ଜଙ୍ଗଲ ମଧ୍ୟରେ ଯିବାକୁ ନେଇ ପୀଡ଼ିତା ପ୍ରଶ୍ନ ପଚାରିଥିଲେ। ହେଲେ ସୁନୀଲ ତାଙ୍କୁ ଜଙ୍ଗଲରେ ସର୍ଟକଟ୍ ରାସ୍ତା ଥିବା କଥା କହି ଭିତରକୁ ନେଇଥିଲେ। କିଛି ସମୟ ପରେ ଏକ ଗଛ ନିକଟରେ ଗାଡ଼ି ରଖି ସିଧା ପୀଡ଼ିତାଙ୍କୁ ଛୁରୀ ଦେଖାଇ ସୁନୀଲ ବିବସ୍ତ୍ର କରିବାକୁ ଉଦ୍ୟମ କରିଥିଲା। ପୀଡ଼ିତା ବିରୋଧ କରିବାରୁ ତାଙ୍କ ତଳିପେଟକୁ ଛୁରୀ ଭୁସି ଦେଇଥିଲା। ଆଉ ଏହି ସମୟରେ କିଛି ଲୋକ ଜଙ୍ଗଲ ମଧ୍ୟକୁ ଆସୁଥିବା ନେଇ ଗାଡ଼ି ଶବ୍ଦ ଶୁଭିଥିଲା। ସୁନୀଲ ଅନ୍ୟମନସ୍କ ହେବା କ୍ଷଣି ପୀଡ଼ିତା ତାଙ୍କୁ ଧକ୍କା ଦେଇ ଜଙ୍ଗଲ ଭିତରକୁ ଦୌଡ଼ିବାକୁ ଆରମ୍ଭ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ପ୍ରାୟ ୧୨କିମି ପର୍ଯ୍ୟନ୍ତ ଧାଇଁଥିଲେ। ଏହାରି ଭିତରେ ୧୧୨କୁ ଫୋନ୍ କରି ଘଟଣା ସମ୍ପର୍କରେ ବଖାଣିଥିଲେ। ପୋଲିସ କଂଟ୍ରୋଲ ରୁମ ରୁ ଖବର ପାଇ ଜୋନ-୩ ଏସିପି, ଇନଫୋଭ୍ୟାଲି, ଜଟଣୀ, ତମାଣ୍ଡୋ, ଭରତପୁର, ଚନ୍ଦକା ଥାନା ର ପିସିଆର ଓ କର୍ମଚାରୀ ମାନେ ଅପରେସନ ରେ ଲାଗିପଡିଥିଲେ। ଯୁବତୀଙ୍କ ମୋବାଇଲ ସୁଇଚ ଅଫ ହୋଇଯାଇଥିବାରୁ, ପୋଲିସ ତାଙ୍କ ମୋବାଇଲ ଲୋକେସନ ଟ୍ରାକ କରିବା ସହ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଯୁବତୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୌର୍ଟ ଚାଲାଣ କରିଥିଲେ।


