Advertisement

ଖୋର୍ଦ୍ଧା,୧୬/୭: ଖୋର୍ଦ୍ଧା ଗୁରୁଜଙ୍ଗ ନିକଟସ୍ଥ ଉଇଲ କିଶନ ନଗର  ଗ୍ରାମରେ  ପାଳିତ ହୋଇଛି ପବିତ୍ର ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ପାଇବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀଶ୍ରୀ ଚନ୍ଦ୍ର ଭଗବାନ ମଠରେ ସମାଗମ ହୋଇଥିଲେ । ଭକ୍ତିମୟ ପରିବେଶ ମଧ୍ୟରେ ବେଦମନ୍ତ୍ର, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଉଠିଥିଲା। ଗ୍ରାମବାସୀଙ୍କ କହିବାନୁସାରେ, ଛୋଟ ଛୋଟ ପିଲାଙ୍କ  ଉଦ୍ୟମରେ କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ରଥଯାତ୍ରା ଆଜି ଏକ ବିଶାଳ ସାମୂହିକ ଧାର୍ମିକ ମହୋତ୍ସବରେ ପରିଣତ ହୋଇଛି। ପ୍ରତିବର୍ଷ ଗ୍ରାମବାସୀଙ୍କ ସହଯୋଗ ଓ ଶ୍ରଦ୍ଧାଳୁଙ୍କ ଭକ୍ତିଭାବ ଯୋଗୁଁ ଏହାର ପରିସର ଓ ଲୋକପ୍ରିୟତା ବୃଦ୍ଧି ପାଉଛି। ପୁରୋହିତ ବିଶ୍ୱନାଥ ନନ୍ଦ, ଆଲୋକ ନନ୍ଦ, ଗୋବିନ୍ଦ ନନ୍ଦ ଙ୍କ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି, ପୂଜାର୍ଚ୍ଚନା ଓ ପାରମ୍ପରିକ ବିଧିବିଧାନ ସମାପ୍ତ ପରେ ଗ୍ରାମର ସନାତନ ବିଶ୍ୱାଳ ଛେରା ପହଁରା କରିଥିଲେ ।  ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶହ ଶହ  ଭକ୍ତ “ଜୟ ଜଗନ୍ନାଥ” ଧ୍ୱନି ଦେଇ ପ୍ରାୟ ଗୋଟେ  କିଲୋମିଟର ଦୂର ମା’ ଅଁଳାଇ ଦେବୀ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ରଥ ଟାଣିଥିଲେ। ପୁରୁଷ,ମହିଳା, ଶିଶୁ ଓ ବୟସ୍କ ସମସ୍ତେ ଭକ୍ତିଭାବର ସହ ରଥଟଣାରେ ସାମିଲ ହୋଇଥିବାରୁ ସମଗ୍ର ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *