ଜଟଣୀ,୧୬/୭ : ଜଟଣୀ ପୌରାଞ୍ଚଳ ଅଧିନ କୁଦିଆରୀ ଗ୍ରାମରେ ମହାପ୍ରଭୁ ଶ୍ରୀ ଦଧିବାମନ ଦେବଙ୍କ ରଥଯାତ୍ରା ଭକ୍ତିମୟ ପରିବେଶରେ ବେଶ ଧୂମଧାମ ରେ ଅନୁଷ୍ଠିତ ହୋଇଯାଇଛି । ଠାକୁର ରାଜା ରମାକାନ୍ତ ଦାସ ଛେରାପହଁରା କରିଥିଲେ। ସନ୍ଧ୍ୟା ପାଞ୍ଚଟା ସମୟରେ ରଥ ଟଣା ଆରମ୍ଭ ହୋଇ, ସନ୍ଧ୍ୟା ସାତଟାରେ ଗୁଣ୍ଡିଚା ମନ୍ଦିରରେ ରଥ ଲାଗିଥିଲା । ପ୍ରଭୁ ଦଧିବାମନଙ୍କ ପ୍ରତିଷ୍ଠା ସମ୍ପର୍କରେ ବରିଷ୍ଠ ଗବେଷକ ବିଜୟକୁମାର ରାଜା ଓ଼ ମନୋରଞ୍ଜନ ପଣ୍ଡା କହନ୍ତି ୧୭୩୭ ସାଲ ଯେତେବେଳେ ପୁରୀ ଗଜପତି ମହାରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ମୋଗଲ ସୁବେଦାର୍ ତକି ଖାଁ ଠାରୁ ପରାସ୍ତ ହୋଇ ରଥିପୁର ଗଡ କାରାଗାରରେ ବନ୍ଦୀ ଅବସ୍ଥାରେ ଥିଲେ, ସେତେବେଳେ ତକୀ ଖାଁ ର ଏକ ମାତ୍ର କନ୍ୟା ରେଜିୟା, ରାମଚନ୍ଦ୍ର ଦେବଙ୍କ ସୌନ୍ଦର୍ଯ୍ୟ ରେ ବିମୋହିତ ହୋଇ ଭଲ ପାଇ ବସିଲେ ଓ ବିବାହ କରିବା ପାଇଁ ଜିଦ କରି ବସିଲେ । ଝିଅର ଜିଦ ଆଗରେ ତକି ଖାଁ ଗଜପତିଙ୍କ ସହିତ ସର୍ତ୍ତ ରଖି କହିଲେ ଯେ, ଯଦି ମୋ ଝିଅକୁ ବିବାହ କରିବ ତେବେ ମୁକ୍ତ ହେବ ଏବଂ ପୁନଃ ରାଜଭାର ସମ୍ଭାଳିବ ନଚେତ୍ ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରି ଶ୍ରୀ ବିଗ୍ରହ କୁ ନଷ୍ଟ କରିଦେବି । ଆମ ଜାତିର ଗର୍ବ ମହାପ୍ରଭୁଙ୍କ ଟେକକୁ ବଞ୍ଚାଇବାକୁ ଯାଇ ଗଜପତି ବିବାହ କରିବାକୁ ବାଧ୍ୟ୍ୟ ହୋଇଥିଲେ । ଗଜପତି ଥିଲେ ବୈଷ୍ଣବ, ଜଗନ୍ନାଥଙ୍କ ଦର୍ଶନ କଲେ ଜଳସ୍ପର୍ଶ କରନ୍ତି । ଜବନ କନ୍ୟାଙ୍କୁ ବିବାହ କରିଥିବାରୁ ମନ୍ଦିର ପ୍ରଵେଶ ମନା ଥିବା ନିଜ ନିୟମକୁ ପାଳନ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଵେଶ ପଥରେ ପତିତପାବନଙ୍କୁ ପ୍ରତିଷ୍ଠା କରାଯାଇଥିଲା । ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ ବାର୍ଦ୍ଧକ୍ୟ ସମୟରେ ରଥିପୁର ଗଡ଼ରେ ରହୁଥିବା ସମୟରେ ପ୍ରତ୍ୟକ ଦିନ ପୁରୀ ଯିବା ସମ୍ଭବ ହୋଇନଥିଲା, ତେଣୁ ପ୍ରତ୍ୟକ ଦିନ କୁଦିଆରୀ ଠାରେ ଅବସ୍ଥିତ ମାଝଣା ପୁଷ୍କରିଣୀଙ୍କୁ ସ୍ନାନ ନିମନ୍ତେ ଯାଆନ୍ତି । ଠାକୁର ଦର୍ଶନ ଅଭିଳାଷ ପୂରଣ କରିବା ପାଇଁ, ପୁଷ୍କରିଣୀରୁ ଫେରିବା ବାଟରେ ସାକ୍ଷାତ ଚତୁର୍ଦ୍ଧାମୂର୍ତ୍ତି ଦଧିବାମନ (ପତିତପାବନ) ଙ୍କୁ ପ୍ରତିଷ୍ଠା କରିଥିଲେ । ଦଧିବାମନ ଙ୍କୁ ଦର୍ଶନ କରି ଜଳ ସ୍ପର୍ଶ କରନ୍ତି । ୧୯୮୧ ମସିହାରେ କୁଦିଆରୀ ଗ୍ରାମବାସୀଙ୍କ ସହଯୋଗ ରେ ବ୍ରାହ୍ମଣ ସମିତି ନାମରେ ଏକ କମିଟି ଗଠନ କରାଯାଇ ରଥଯାତ୍ରା ଆରମ୍ଭ କରାଯାଇଥିଲା । ପ୍ରତ୍ୟକ ଗ୍ରାମବାସୀ ମାନେ ସହଯୋଗରେ ଏହି ଯାତ୍ରା ଦୀର୍ଘ ବର୍ଷରୁ ଚାଲିଆସୁଛି । ନିହାର ରଞ୍ଜନ ପଣ୍ଡା, ସୁଧୀର ରଞ୍ଜନ ପଣ୍ଡା, ଦିପ୍ତିକେତନ୍ ପଣ୍ଡା, ପ୍ରଦୀପ ପଣ୍ଡା , ରାଜା ପଣ୍ଡା, ସିପା ପଣ୍ଡା, ଚନ୍ଦ୍ରଶେଖର ପଣ୍ଡା, ଏଲ ଡ଼ି ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


