ବ୍ୟୁରୋ: ନାଇଜର ଭୁବନେଶ୍ୱରର ଜଟଣୀ କ୍ୟାମ୍ପସ ପରିସରରେ  ପରମାଣୁ ଉର୍ଜା ବିଭାଗର ସପ୍ତମ ଜାତୀୟ ଯୋଗ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବକୁ ସଭାପତିତ୍ଵ କରିଥିଲେ ଅନୁଷ୍ଠାନର କୁଳସଚିବ ତଥା ସମ୍ମିଳନୀର ଅଧ୍ୟକ୍ଷ ଡ. ଅଭୟ କୁମାର ନାୟକ । ଯୋଗ ସମ୍ମିଳନୀକୁ ଉଦଘାଟନ କରି ବିଶିଷ୍ଟ କ୍ରିୟାଯୋଗୀ ସ୍ବାମୀ ଶଙ୍କରାନନ୍ଦ କହିଲେ ଯେ ସୁସ୍ଥ ଓ ଶୃଙ୍ଖଳିତ ଜୀବନ ପାଇଁ ପ୍ରାଣାୟାମ ଅପରିହାର୍ଯ୍ୟ । ଶ୍ବାସ-ପ୍ରଶ୍ବାସର ନିୟନ୍ତ୍ରଣ ମଣିଷର ମାନସିକ ଚାପକୁ ମୁକ୍ତ କରିବା ସଂଗେ ସଂଗେ ଏକ ଦିବ୍ୟ ଜୀବନ ଯାପନ ପାଇଁ ସହାୟକ ହୁଏ ।

ମୁଖ୍ୟଅତିଥି ଭାବେ ଯୋଗଦେଇ ନାଇଜର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ ସନ୍ତୁଳିତ ଜୀବନ ପାଇଁ ନିୟମିତ ଯୋଗ ଓ ପ୍ରାଣାୟାମ ଉପରେ ଗୁରୁତ୍ଵ ଦେବାପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପରମାଣୁ ଉର୍ଜା ବିଭାଗର କ୍ରିଡା ଏବଂ ସଂସ୍କୃତିକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଅର୍ଜନା ଶର୍ମା ଯୋଗ ଦେଇ କହିଥିଲେ ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱରେ ଭାରତୀୟ ଯୋଗ ପଦ୍ଧତି ବିଶ୍ଵରେ ଜନାଦୃତ ହୋଇପାରିଛି । ଏହାକୁ ଲୋକାଭିମୁଖୀ କରିବା ପାଇଁ ପରମାଣୁ ଉର୍ଜା ବିଭାଗର ଉଦ୍ୟମ ଉପରେ ସେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆୟୁସ ମନ୍ତ୍ରାଳୟର ପ୍ରାକ୍ତନ ଉପ ମହା ନିର୍ଦ୍ଦେଶକ ପ୍ରଫେସର ମଦନ ମୋହନ ପାଢୀ ଯୋଗଦେଇ କହିଥିଲେ ବିଶ୍ଵକୁ ଭାରତର ପ୍ରାଚୀନ ଯୋଗ ଏବଂ ଆୟୁବେଦର ଅତୁଳନୀୟ ଅବଦାନ ରହିଛି। ଆୟୋଜିତ ସମ୍ମିଳନୀରେ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରଫେସର ଅମରେନ୍ଦ୍ର ଦାସ । ଡ. ତପନ ମିଶ୍ର, ଡ. ଶାରଳାଶ୍ରିତ ମହାନ୍ତି, ଆନନ୍ଦ ରମଣ, ଧନେଶ୍ଵର ନାୟକ, ଅଭୟ ମହାନ୍ତି, ସୁଶ୍ରୀ ବିଷ୍ଣୁପ୍ରିୟା ଦାସ, ଶିବପ୍ରସାଦ ରାଓ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଯୋଗ ସମ୍ମିଳନୀର ଆବାହକ ଡ. ପ୍ରକାଶ ଚନ୍ଦ୍ର ରାଉତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *