ଜଟଣୀ: ଜଟଣୀ ପୌର ପରିଷଦ ଅଧିନ ବାଛରା ପାହାଡ଼ ଉପରେ ନିର୍ମାଣ ହେବ ପାର୍କ। ଏଥିପାଇଁ ଜଟଣୀ ପୋୖର ପରିଷଦ ସଜବାଜ ହେଉଥିବା ବେଳେ ସେଥିରେ ପଶିଛି ଏବେ କେଁ। ପାହାଡ଼କୁ ଲାଗି ଗଢି ଉଠିଥିବା ବସ୍ତି ବାସିନ୍ଧା ଏବେ, ଥଇଥାନ ପରେ ଜାଗା ଉଚ୍ଛେଦ କରିବାକୁ ଜିଦି ଧରିଛନ୍ତି ।

ସୂଚନା ମୁତାବକ ପାର୍କ ନିର୍ମାଣ ପାଇଁ ପୋୖର ପରିଷଦ ପକ୍ଷରୁ ଚିହ୍ନଟ ହୋଇଥିଲା ବାଛରା ପାହାଡ଼। ଏଠାରେ ଅତ୍ୟାଧୁନିକ ପାର୍କ ହେବା ସହ ମନୋରଞ୍ଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିବ । ଏହି ପାର୍କ ନିର୍ମାଣ ହେବାକୁ ଯାଉଥିବା ସ୍ଥାନରେ, ଦୀର୍ଘ ବର୍ଷ ହେବ କିଛି ପରିବାର ଘର କରି ପରିବାର ସହ ରହୁଛନ୍ତି। ଜଟଣୀ ପୋୖର ପରିଷଦ ପକ୍ଷରୁ ସେମାନଙ୍କୁ ମଧ୍ୟ ଜାଗା ମିଶନ ଅଧୀନରେ ଏଲଇସି (ଲ୍ୟାଣ୍ଡ ଇଲିଜିବୁଲ ସାର୍ଟିଫିକେଟ ବା ଜମି ଯୋଗ୍ୟତା ପ୍ରମାଣପତ୍ର) ଦିଆଯାଇଛି । ସେମାନଙ୍କ ସୁବିଧା ପାଇଁ  ରାସ୍ତା, ପିଇବା ପାଣି, ବିଦ୍ୟୁତ ଏବଂ ପାହାଡ଼ ଉପରେ ଅଙ୍ଗନବାଡି କେନ୍ଦ୍ର, ମିଶନ ଶକ୍ତି କାର୍ଯ୍ୟାଳୟ  ଇତ୍ୟାଦି ନିର୍ମାଣ କରାଯାଇଛି।

କିନ୍ତୁ ବର୍ତ୍ତମାନ ପାର୍କ ନିର୍ମାଣ ପାଇଁ, ସେହି ଭୂମିହୀନ ପରିବାରକୁ ଘର ଭାଙ୍ଗିବା ନିମନ୍ତେ, ପୋୖର ପରିଷଦ ପକ୍ଷରୁ ନୋଟିସ କରାଯାଇଛି। ଯାହାକୁ ନେଇ ପ୍ରତିବାଦ କରିଛନ୍ତି ଭୂମିହୀନ ପରିବାର। କହିଛନ୍ତି ଆଗ ଆମକୁ ଥଇଥାନ କରାଯାଉ ତା ପରେ ଆମ ଘର ଭଙ୍ଗାଯାଉ। ବିଜେପି ନେତା  ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଜଟଣୀ ବିଜେପିର କର୍ମକର୍ତ୍ତା ମାନେ ବାଛରା ପାହାଡ଼କୁ ଯାଇ ଭୂମିହୀନ ପରିବାରକୁ ଭେଟିଛନ୍ତି।  ଆଉ ଆଶ୍ୱାସନା ଦେଇଛନ୍ତି ସେମାନଙ୍କ ସହ ଜଟଣୀ ବିଜେପି କର୍ମକର୍ତ୍ତା ରହିଛନ୍ତି। ପ୍ରଶାସନ ପକ୍ଷରୁ ଥଇଥାନ ପରେ ଉଛେଦ କରାଯିବାକୁ ସେମାନେ ଦାବୀ କରିଛନ୍ତି। ପରେ ନେତୃମଣ୍ଡଳୀ ଜଟଣୀ ପୋୖର ପରିଷଦ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତିଙ୍କ ସହ ଏହି ଘଟଣା ବିଷୟରେ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *