ବ୍ୟୁରୋ, ୦୮/୦୩: ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେଖାଅ। ଏଫଆଇଆର ରଖିବା ସହ ଘଟଣା ବିଷୟରେ ଆଲୋଚନା କରି ନ୍ୟାୟ ପାଇଁ ବିଚାର କର। ଯଦି କେହି ଥାନାଧିକାରୀ ଏଫଆଇଆର ରଖୁନାହାନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଲମ୍ବିତ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କମିସନରେଟ ପୋଲିସ ଅନ୍ତର୍ଗତ ଭୁବନେଶ୍ୱରର ନୟାପଲ୍ଲୀ ଥାନାଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ଟି ନବନିର୍ମିତ ଥାନା ଗୃହ ଉଦଘାଟନ କରିଛନ୍ତି। ଲୋକଙ୍କୁ ଉନ୍ନତ ସେବା ସହ ପୋଲିସ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆବଶ୍ୟକ ସମ୍ବଳ, ତାଲିମ ଏବଂ ଭିତ୍ତିଭୂମି ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ସେ ଯେତେବେଳେ ୨୦୧୯ ରେ ବିଧାୟକ ଥିଲେ କିପରି ତାଙ୍କୁ କେନ୍ଦୁଝର ଥାନାଧିକାରୀ ଦୁର୍ବ୍ୟବହାର କରିଥିଲେ। ତେଣୁ ପୋଲିସ ବ୍ୟବହାର ପରିବର୍ତ୍ତନ କରୁ।

ନୂତନ ଭାବେ ଉଦଘାଟିତ ଥାନା ଗୃହ ମଧ୍ୟରେ ଭୁବନେଶ୍ୱରର ନୟାପଲ୍ଲୀ ଥାନା ସହିତ ଅନୁଗୋଳ ଜିଲ୍ଲାର ସମଲ ଓ ସଦର ଥାନା, ବରଗଡ଼ ଜିଲ୍ଲାର ଭେଡେନ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ ଥାନା, କୋରାପୁଟ ଜିଲ୍ଲାର ସୁଙ୍କି ଓ କୋରାପୁଟ ଟାଉନ ଥାନା, ମାଲକାନଗିରି ଜିଲ୍ଲାର କୋରକୁଣ୍ଡା, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, କମିଶନରେଟ ପୋଲିସ ଅନ୍ତର୍ଗତ କଟକର ସି.ଆର.ଆର.ଆଇ ଏବଂ ମଙ୍ଗଳାବାଗ ଥାନା, ଜଗତସିଂହପୁର ଜିଲ୍ଲାର ପାରାଦୀପ ଲକ୍ ଥାନା, ଯାଜପୁର ଜିଲ୍ଲାର ଧର୍ମଶାଳା ଓ କୋରେଇ ଥାନାର ନବନିର୍ମିତ ଥାନା ଗୃହ ରହିଛି।

ଏହି ନବ ନିର୍ମିତ ଥାନା ଗୁଡିକରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍ ବ୍ୟବସ୍ଥା, ବିଲ୍ଡିଂ ଏବଂ ବାରାକ୍, ସମ୍ମିଳନୀ କୋଠରୀ, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରୀ, ୱେୟାରଲେସ୍ ଏବଂ ଯୋଗାଯୋଗ କୋଠରୀ, ଆଧୁନିକ ମାଲଖାନା, ରିସେପସନ ସେଣ୍ଟର ଏବଂ ମହିଳା ଓ ଶିଶୁ ହେଲ୍ପ ଡେସ୍କ ପ୍ରସ୍ତୁତ କରାଯାଇଛି। ଏହାବ୍ୟତୀତ ଶିଶୁସଦନ, ଶିଶୁ ସ୍ତନ୍ୟପାନ କକ୍ଷ, ଯାନ ବାହନ ପାର୍କିଂ ବ୍ୟବସ୍ଥା, ତଥ୍ୟ ସଂରକ୍ଷଣ ସହିତ ୨୪ଘଣ୍ଟିଆ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ସତର୍କ ସୂଚନା ଘଣ୍ଟି ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ କରାଯାଇଛି।