ବ୍ୟୁରୋ :  ନାଇଜର ଭୁବନେଶ୍ୱରର ଜଟଣୀ କ୍ୟାମ୍ପସ ପରିସରରେ ଚାଲିଥିବା ପରମାଣୁ ଉର୍ଜା ବିଭାଗର ସପ୍ତମ ଜାତୀୟ ଯୋଗ ସମ୍ମିଳନୀ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଅଶୋକ ଦାସ କହିଥିଲେ ଯୋଗକୁ ଅଙ୍ଗୀକାର କରିପାରିଲେ ଜୀବନ ସୁଖମୟ ହେବ । ବର୍ତମାନ ସମୟରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଦେଖା ଦେଉଥୁବା ମାନସିକ ଚାପକୁ ଆଖି ଆଗରେ ରଖି, କେମିତି ତାର ସମାଧାନ ହୋଇପାରିବ ସେଥ‌ିପାଇଁ ପ୍ରତି କଲେଜରେ ଯୋଗ ଶୀକ୍ଷାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ ।

ମୁଖ୍ୟବକ୍ତା ଭାବରେ ରାଜଯୋଗିନୀ ଦୁର୍ଗେସ ନନ୍ଦିନୀ ଯୋଗ ଦେଇ କହିଥିଲେ ଯୋଗ ଅଭ୍ୟାସ ଦ୍ବାରା ସାଧକଙ୍କ ଠାରେ ସକାରାତ୍ମକ ଭାବନା ଉଦ୍‌ଜିବୀତ ହେବା ସଂଗେ ସଂଗେ ପ୍ରତିକ୍ଷେତ୍ରରେ ସଫଳତା ଆଣି ଦେବ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଯୋଗ ଅଭ୍ୟାସ କରିବା ଦରକାର । ନାଇଜରର କୁଳସଚିବ ଡ. ଅଭୟ ନାୟକ ଦୁଇଦିନ ଧରି ଚାଲିଥିବା କାର୍ଯ୍ୟକ୍ରମର ବିଭିନ୍ନ ପ୍ରସଙ୍ଗ ଯଥା ଆୟୁର୍ବେଦ, ଆକ୍ୟୁପ୍ରେସର, ରାଜଯୋଗ, କ୍ରିୟାଯୋଗ, ଯୋଗସୁଦ୍ଧି ଉପରେ ବିବରଣୀ ପ୍ରଦାନ କରିଥିଲେ । ଉତ୍ସବରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସମ୍ମିଳନୀର ଉପ-ସଂଯୋଜକ ଡ. ତପନ ମିଶ୍ର ।

ଆଗାମୀ ଦିନରେ ଯୋଗକୁ ନେଇ ଅନେକ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ନାଇଜର ପ୍ରସ୍ତୁତ ବୋଲି ନିର୍ଦ୍ଦେଶକ ପ୍ରଫେସର ଘୋଷ ଘୋଷଣା କରିଥିଲେ । ଶେଷରେ ସମ୍ମିଳନୀର ଆବାହକ ତଥା ଭାବା ପରମାଣୁ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ପ୍ରକାଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *