ବ୍ୟୁରୋ: ଜଟଣୀ ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର) ପରିସରରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ । ମୁଖ୍ୟ ଅତିଥି ଭାବେ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ସମ୍ମାନୀତ ଅତିଥିଭାବେ ସଂଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଶୀଚରଣ ମହାନ୍ତି ଓ ବିଶିଷ୍ଟ ହାସ୍ୟ କବି ଡ. ପ୍ରିତିକାନ୍ତ ପଣ୍ଡା (ଡ. କୁଳାଙ୍ଗାର) ଯୋଗଦେଇଥିଲେ। ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ଜଗନ୍ନାଥ ସଂସ୍କୃତି ହିଁ ଓଡିଆ ସଂସ୍କୃତି, ଯାହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରେ । ଅନୁଷ୍ଠାନର କୁଳସଚିବ ଡ. ଅଭୟ କୁମାର ନାୟକ ସ୍ବାଗତ ଭାଷଣ ଦେଇ କହିଥିଲେ ଆଉ ୧୨ବର୍ଷ ପରେ ଯେତେବେଳେ ଓଡିଶା ତାର ଶତବାର୍ଷିକୀ ପାଳନ କରିବ ସେଥିରେ ସମସ୍ତ ଓଡିଶାବାସୀଙ୍କ ସହଯୋଗ ରହିଲେ ତାହା ସାରା ଦେଶକୁ ଉଦ୍ଭାସିତ କରିବ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନାଇଜରର ପ୍ରଫେସର ଡ. ଅମରେନ୍ଦ୍ର ଦାସ । ଉତ୍କଳୀୟ କଳା ଓ ସଂସ୍କୃତିକୁ ନେଇ ନୃତ୍ୟ, ସଂଗୀତ, ନାଟକ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ମିଶି ମହାପ୍ରସାଦ ସେବନ କରିଥିଲେ।

Leave a Reply

Your email address will not be published. Required fields are marked *