ବ୍ୟୁରୋ, ୦୩/୦୨: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ପୀଠରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟରେ ମା ଙ୍କର ସମସ୍ତ ନୀତି ସରିବା ପରେ ମଧ୍ୟାନ ଧୂପ ଅନୁଷ୍ଠିତ ହୋଇ ପହୁଡ଼ ହୋଇଥିଲା। ଅପରାହ୍ନରେ ଠାକୁରାଣୀଙ୍କ ପହୁଡ଼ ଫିଟି ମାର୍ଜଣା ସରିବା ପରେ, ମାଆ ଙ୍କ ସହିତ ଚଳନ୍ତି ବିଗ୍ରହଙ୍କୁ ମଧ୍ୟ ମାର୍ଜଣା ଓ ନୂଆ ଲୁଗା ଲାଗି କରାଯାଇଥିଲା, ପରେ ଠାକୁରାଣୀଙ୍କୁ ସରସ୍ବତୀ ବେଶ ରେ ସଜ୍ୱିତ କରାଯାଇଥିଲା। ପରେ ବସନ୍ତ ଉତ୍ସବ ନିମନ୍ତେ ରାଉଳ ପାଳିଆ ସିଂହାସନରେ ଏକ ଗଡୁ ଜଳ, ଫୁଲ, ଚନ୍ଦନ ଓ ରୂପା ଥାଳିରେ ଅବିର ସଜାଡି ରଖିଥିଲେ, ବଡ଼ ପଣ୍ଡା ସମସ୍ତ ଦ୍ରବ୍ୟ କୁ ସଂସ୍କାର କରି ପ୍ରଥମେ ଫୁଲ ଚନ୍ଦନ ଲାଗି କରାଇସରିବା ପରେ ମାଆ ଙ୍କ ସହିତ ଚଳନ୍ତି ବିଗ୍ରହ ଙ୍କୁ ଅବିର ଲାଗି କରିଥିଲେ। ମାଆ ଙ୍କୁ ଅବିର ଲାଗି ପରେ ପାର୍ଶ୍ଵ ଦେବା ଦେବୀ ଙ୍କୁ ଅବିର ଲାଗି ହୋଇଥିଲା।

ସନ୍ଧ୍ୟା ଆଳତି ପରେ ସରସ୍ବତୀ ପୂଜା ତାଟ ଭୋଗ ପୂଜା ପାଇଁ ରାଉଳ ପାଳିଆ ଗର୍ଭଗୃହ ଧୋଇ ପଞ୍ଚଉପଚାର ବିଧିରେ ସଜାଡ଼ିବା ପରେ, ବଡ଼ପଣ୍ଡା ମନ୍ଦିର କାର୍ଯ୍ୟାଳୟ ରୁ ଲେଖନ, ତାଳପତ୍ର ଓ କାଳୀ ଦୁଆତ ଆଣି ମାଆ ଙ୍କ ପାଦ ପାଖରେ ରଖିଥିଲେ। ବଡ଼ପଣ୍ଡା ମାଆ ଙ୍କ ପାଖରେ ଏକ ସ୍ୱତନ୍ତ୍ର ପଞ୍ଚଉପଚାର ଧୂପ ରେ ସରସ୍ବତୀ ତାଟ ଭୋଗ ପୂଜା କରିଥିଲେ। ଶ୍ରୀ ପଞ୍ଚମୀ ରେ ମାଆ ଙ୍କ ପୀଠ ରେ ଅନେକ ଭକ୍ତ ସମାଗମ ହୋଇଥିଲା। ବହୁ ଦୂର ଦୁରାନ୍ତ ରୁ ଭକ୍ତ ଶ୍ରଦ୍ଧାଳୁ ମାଆ ଙ୍କ ଦର୍ଶନ ପାଇଁ ଆସିବା ସହିତ ମାଆ ଙ୍କ ପାଖରେ ଅନେକ ଛୋଟ ପିଲା ଙ୍କ ବିଦ୍ୟାରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *