ବ୍ୟୁରୋ: ଆରମ୍ଭ ହୋଇଛି ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା। ମୂଳାଷ୍ଟମୀ ଠାରୁ ଏହି ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇ ବିଜୟା ଦଶମୀରେ ସମାପ୍ତ ହେବ। ଶାରଦୀୟ ପାର୍ବଣ ପୂଜା ସବୁଠାରେ ଅଲଗା ଅଲଗା ଵିଧିରେ ପାଳନ କରାଯାଏ। ମହା ପୂଜା ସମୟରେ ପ୍ରତ୍ୟେକ ପୀଠ ମାନଙ୍କର ରହିଛି କିଛି ସ୍ୱତନ୍ତ୍ର ନୀତି । ଯାହା ସେଇ ପୀଠର ସ୍ୱତନ୍ତ୍ରତା ଦର୍ଶାଇଥାଏ।

ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା, ମାଆ ବିମଳାଙ୍କ ଗୁପ୍ତ ପୂଜା ଓ ଦୁର୍ଗା ମାଧବ ପୂଜା, ମା’ ମଙ୍ଗଳାଙ୍କ ସ୍ୱତନ୍ତ୍ର ସଂକଳ୍ପରେ ମହାନବମୀ ପୂଜା, ମା’ ରାମଚଣ୍ଡୀଙ୍କ ଦୁଇ ବେଳା ଚଣ୍ଡୀ ପାଠ, ମା’ ଭଗବତୀଙ୍କ କାଠି ଯାତ୍ରା, ମା’ କଟକ ଚଣ୍ଡୀଙ୍କ ସୁନ୍ଦର ବେଶ ଆଦି ସେଇ ପୀଠକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ସେହିପରି ଜଗତସିଂହପୁରର ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠର ରହିଛି କିଛି ସ୍ୱତନ୍ତ୍ର ନୀତି । ଅନ୍ୟ ଦେବୀ ପୀଠ ମାନଙ୍କରେ ଠାକୁରାଣୀଙ୍କ ଧୂପ ଷୋଡଶ ଉପଚାର ବିଧିରେ ହେଉଥିବା ବେଳେ, ମା’ ଶାରଳା ଠାକୁରାଣୀଙ୍କ ପାଖରେ  ଧୂପ ଦୈନିକ ପରି ହୋଇ ଦୁଇଟି ସ୍ୱତନ୍ତ୍ର ଷୋଡଶ ଉପଚାର ଧୂପ ହୋଇଥାଏ (ପାର୍ବଣ ଧୂପ, ଚଣ୍ଡୀ ଧୂପ ) ଏହା ସହ ୧୬ ଦିନ ଧରି ମହାଯଜ୍ଞ ଏ ପୀଠ କୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ପ୍ରତିଦିନ ସନ୍ଧ୍ୟାରେ ଯଜ୍ଞ ଘରେ ଚଣ୍ଡୀ ପାଠ, ଜପ ସହିତ ବନଦୁର୍ଗା ମନ୍ତ୍ରରେ ୧୦୮ ଆହୁତି ଦିଆଯାଇଥାଏ। ଏଥି ସହିତ ଦୈନିକ ରାତ୍ରୀରେ ଠାକୁରାଣୀଙ୍କୁ ସୁନା ବେଶ କରାଯାଇଥାଏ। ଏହା ସହ ସନ୍ଧି ପୂଜା ସମୟରେ ୧୦୮ ଶାନ୍ତି ଭୋଗ ହାଣ୍ଡି ପୂଜା ରହିଛି ଆଉ ଏକ ଏହି ପୀଠର ସ୍ୱତନ୍ତ୍ର ନୀତି।

Leave a Reply

Your email address will not be published. Required fields are marked *