ବ୍ୟୁରୋ: ଜଟଣୀ ପୋଲିସ ଗତ ୨ତାରିଖରେ ଘଟିଥିବା ଚୋରି ଘଟଣାର ତଦନ୍ତ କରି, ଚୋରି ଟଙ୍କା ଓ ସୁନା ଅଳଙ୍କାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ଅଭିଯୁକ୍ତ ଜଣକ ହେଲେ ଜଟଣୀ ଥାନା ଅଧିନ ବଡ଼ନୂଆଗାଁ, ବିକାଶ ନଗରର ଲିପ୍ସା ମହାପାତ୍ର (୩୦)। ଜଟଣୀ ପୋଲିସ  ଲିପ୍ସାଙ୍କ ଠାରୁ ଚୋରି ହୋଇଥିବା ନଗଦ ୩୦,୦୦୦ଟଙ୍କା, ଗୋଟିଏ ସୁନା ଚେନ, ଗୋଟିଏ ସୁନା ହାର ଏବଂ ଗୋଟିଏ ଇମିଟେସନ ଚୁଡ଼ି ସେଟକୁ ଜବତ କରିଛି। ଜଟଣୀ ଥାନା କେସ ନଂ ୩୯୪/୨୪ ରେ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଅନୁସାରେ ବିକାଶ ନଗର ଅଞ୍ଚଳର ଅଭିଯୋଗକାରୀ ସଞ୍ଜୟ କୁମାର ସାହୁ ତାଙ୍କ ଘର ଆଲମିରାରେ ନଗଦ ୩୦,୦୦୦ ଟଙ୍କା ସହ ସୁନା ଅଳଙ୍କାର ରଖିଥିଲେ।  ଗତ ୨ ତାରିଖରେ ସଞ୍ଜୟ ସେହି ଆଲମିରାରେ ଟଙ୍କା ଓ ସୁନା ଅଳଙ୍କାର ନଥିବାର ଦେଖି ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଟଣୀ ପୋଲିସ ଘଟଣାର ତଦନ୍ତ କରି ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଚୋରି ହୋଇଥିବା ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି।

Leave a Reply

Your email address will not be published. Required fields are marked *