ବ୍ୟୁରୋ :  ଭାଉଜ ହେଉଛି ମା’ ସମାନ। କିନ୍ତୁ ଭାଉଜକୁ କୂଅକୁ ଠେଲି ମାରିବାକୁ ଉଦ୍ୟମ କରିବା ଘଟଣାରେ, ଜଟଣୀ ପୋଲିସ ଦିଅରକୁ କରିଛି ଗିରଫ।  ସୂଚନା ମୁତାବକ ଜଟଣୀ ଥାନା ଅଧିନ କୁଦିଆରୀ ଗ୍ରାମର ଅଜୟ କୁମାର ମହାରଣା, ଭାଉଜକୁ ଅନେକ ସମୟରେ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିଲେ। କିନ୍ତୁ ପରିବାରର ସମ୍ମାନକୁ ଜଗି ଭାଉଜ ଦିଅର ବିରୋଧରେ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରୁନଥିଲେ।

ଗତ ନଭେମ୍ବର ୧ ତାରିଖ ଦିନ ଦିଅର ଅଜୟ ବଡ଼ଭାଇ ଘରେ ନଥିଲେ ସମୟରେ ଭାଉଜକୁ  କ୍ରେଡିଟ କାର୍ଡ ମାଗିଥିଲେ। ଭାଉଜ କ୍ରେଡିଟ କାର୍ଡ ବିଷୟରେ କିଛି ଜାଣିନଥିବା କହିବା ସହ, ଭାଇ ଆସିଲେ ସେ ବିଷୟରେ ପଚାରିବ ବୋଲି ଦିଅରକୁ କହିଥିଲେ।  ଏହା ପରେ ଦିଅର ଅଜୟ ରାଗିଯାଇ ଭାଉଜକୁ ଠେଲା ପେଲା କରିବା ସହ, ଭାଉଜକୁ ମାରିବା ଉଦେଶ୍ୟରେ କୂଅ ଭିତରକୁ ଠେଲି ଦେଇଥିଲେ। ଏହାସହ ଘରେ ରହିଥିବା ଜିନିଷ ପତ୍ରକୁ ଆଣି କୂଅ ଭିତରକୁ ଫିଙ୍ଗି ଦେଇଥିଲେ। ପୀଡିତା ଭାଉଜର ଚିତ୍କାର ଶୁଣି ପଡୋଶୀ ମାନେ ଆସି ଜଟଣୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପୀଡ଼ିତାଙ୍କୁ କୂଅରୁ ଉଦ୍ଧାର କରି ଚିକିତ୍ସା ପାଇଁ ଜଟଣୀ ରେଲୱେ ହସ୍ପିଟାଲକୁ ପଠାଇଥିଲେ। ପରେ ବଡ଼ ଭାଇ ବିଜୟ କୁମାର ମହାରଣା ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଟଣୀ ଥାନା କେସ ନମ୍ବର 380/23ରେ  ପୋଲିସ ଏକ ମାମଲା ରୁଜୁ କରି ,ତଦନ୍ତ କରିବା ପରେ ଅଭିଯୁକ୍ତ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା, ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିଆରସିଂ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *