ବ୍ୟୁରୋ: ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ, ଯୁବତୀଙ୍କୁ ନେଇ ଭଡା ଘରେ ରଖି ତାଙ୍କୁ ଦୁଇ ମାସ ଅନ୍ତଃସତ୍ୱା କରିବା ପରେ, ଯୁବତୀଙ୍କୁ ପ୍ରତାରଣା କରିବା ଘଟଣାର  ଜଟଣୀ ପୋଲିସ ତଦନ୍ତ କରି ଯୁବକଙ୍କୁ ଗିରଫ କରିବା ସହ ୧୨୯/୨୪ରେ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜଗତସିଂହପୁର ଥାନା ଅଧୀନ ମୋହିଦୁନପୁର ଅଞ୍ଚଳର ମହମ୍ମଦ ସାହିଦ ଖାନ। ସୂଚନା ମୁତାବକ ଜଟଣୀର ପୀଡିତା ଯୁବତୀଙ୍କ ସହ ମହମ୍ମଦ ସାହିଦ ଖାନ ଙ୍କର ୧୫/୦୮/୨୦୨୩ରେ ବିବାହ ପ୍ରସ୍ତାବ ଲାଗିଥିଲା। ଯୁବକଙ୍କ ପରିବାର ଲୋକେ ବିବାହ କରିବା ପାଇଁ ଯୌତୁକ ବାବଦକୁ ୫ଲକ୍ଷ ଟଙ୍କା ଏବଂ ସୁନାଗହଣା ମାଗିବାରୁ ଉକ୍ତ ବିବାହ ଭାଙ୍ଗିଯାଇଥିଲା। କିନ୍ତୁ କିଛିଦିନ ପରେ ଅଭିଯୁକ୍ତ ଯୁବକ ଜଣକ ଯୁବତୀଙ୍କ ଘରକୁ ଯାଇ ବିନା ଯୌତୁକରେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାସହ ଉଭୟ ଯୁବକ ଯୁବତୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ଯୁବକଙ୍କ ସହ ଯୁବତୀ ଜଣଙ୍କ ଘରୁ ପଳାଇ, ଜଟଣୀ ଲୋକୋ କଲୋନୀରେ ଭଡା ଘରେ ରହିଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ହେବା ସହ ଯୁବତୀ ଦୁଇ ମାସର ଅନ୍ତଃସତ୍ୱା ହୋଇଥିବା, ଯୁବକ ଜାଣିବା ପରେ ପୀଡିତାଙ୍କୁ ଗର୍ଭ ନିରୋଧକ ବଟିକା ଖାଇବାକୁ ଦେଇଥିଲେ। ବଟିକା ଖାଇ ଯୁବତୀ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ମେଡିକାଲ ଯିବାକୁ ଅଭିଯୁକ୍ତଙ୍କୁ କହିଥିଲେ। ଅଭିଯୁକ୍ତ ଯୁବକ ଜଣଙ୍କ କିଛି ନ ଶୁଣିବାରୁ,  ଯୁବତୀ ଅଭିଯୁକ୍ତର ପରିବାର ଲୋକଙ୍କୁ ଘଟଣା ବାବଦରେ ଜଣାଇଥିଲେ।  ଅଭିଯୁକ୍ତର ବାପା, ଭାଇ ଓ ଅନ୍ୟମାନେ ଯୁବତୀଙ୍କୁ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ । ପରେ ପୀଡିତା ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସାହିଦକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଜଟଣୀ ଥାନାଧିକାରୀ।

Leave a Reply

Your email address will not be published. Required fields are marked *