ବ୍ୟୁରୋ: ଚିଲିକାରେ ହେବ ପକ୍ଷୀ ଓ ଡଲଫିନ୍ ଗଣନା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଗଣନା କାର୍ଯ୍ୟ ହେବ । ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା , କିନ୍ତୁ ୩ ଦିନ ଧରି ହେବ ଡଲଫିନ୍ ଗଣନା । ଆସନ୍ତାକାଲି (ତା. ୧୭-୦୧-୨୫) ପକ୍ଷୀ ଗଣନା ପାଇଁ ଟ୍ରେନିଂ କ୍ୟାମ୍ପ ହେବ ଓ ତା’ପର ଦିନ (ତା. ୧୮-୦୧-୨୫) ହେବ ପକ୍ଷୀ ଗଣନା । ସମଗ୍ର ଚିଲିକାରେ ହେବ ଏହି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ଇଲାକାରେ ଯଥା ଟାଙ୍ଗୀ , ବାଲୁଗାଁ , ସାତପଡ଼ା , ନୂଆପଡ଼ା , ରମ୍ଭା ବନ୍ୟପ୍ରାଣୀ ବିଭାଗର ଚିଲିକା ଏରିଆରେ ହେବ ପକ୍ଷୀଙ୍କ ଗଣନା କାର୍ଯ୍ୟ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଚିଲିକା କୁ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି , ତାହାର ଟିକ୍-ନିଖ୍ ହିସାବ କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ । ଠିକ୍ ସେହିପରି ଚିଲିକା ରେ କେତେ ସଂଖ୍ୟକ ଡଲଫିନ୍ ଅଛନ୍ତି , ତାହାର ଗୋଟି ଗୋଟି କରି ଗଣତି କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ । ସେଥିପାଇଁ ତା. ୧୯-୦୧-୨୫ ରିଖରେ ଡଲଫିନ୍ ଗଣନା ପାଇଁ ହେବ ଟ୍ରେନିଂ କ୍ୟାମ୍ପ ଓ ତା’ପର ଦିନ (ତା. ୨୦-୦୧-୨୫ , ତା. ୨୧-୦୧-୨୫ , ତା. ୨୨-୦୧-୨୫) ଅର୍ଥାତ ୩ ଦିନ ଧରି ହେବ ଡଲଫିନ୍ ଗଣନା । ବିଶେଷଜ୍ଞ , ଗବେଷକ , ରିସର୍ଚ୍ଚ ପର୍ସନ ଓ ଟୁରିଷ୍ଟ ଗାଇଡ୍ , ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ ହେଉଛନ୍ତି । ପାଗ ଅନୁକୂଳ ରହିଲେ ପକ୍ଷୀ ଓ ଡଲଫିନ୍ ଗଣନା କାର୍ଯ୍ୟ ସୁରୁଖୁରୁରେ ହୋଇ ପାରିବ । ବାଲୁଗାଁ-ବଡକୁଳ ସ୍ଥିତ CDA ର ଗବେଷଣା କେନ୍ଦ୍ର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଚିଲିକା ବନ୍ୟପ୍ରାଣୀ ଡିଭିଜନ ର DFO ଅମ୍ଲାନ ନାୟକ ଏହି ସୂଚନା ଦେଇଛନ୍ତି ।