ବ୍ୟୁରୋ: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ କେଉଁ ଦଳରେ ମିଶିବେ, ତାକୁ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀର ସବୁଠି ଚାଲିଥିଲା ଚର୍ଚ୍ଚା। ଯାହାର ଆଜି ପୂର୍ଣ୍ଣଛେଦ ଘଟିଛି। ବରିଷ୍ଠ କଂଗ୍ରେସ ନେତା ତଥା ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ବିଜେଡି ଦଳରେ ଯୋଗଦେଇଛନ୍ତି । ସେ ନିଜର ହଜାର ହଜାର ସମର୍ଥକ ଓ କଂଗ୍ରେସ ଦଳର ଅନେକ କର୍ମୀ ମାନଙ୍କୁ ନେଇ ଶଙ୍ଖ ଭବନରେ, ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ମୁଖପାତ୍ର ପ୍ରିୟବ୍ରତ ମଝି, ସାଂସଦ ସୁଲତା ଦେଓ ଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଶଙ୍ଖ ଭବନରେ ମନ୍ମଥ ପହଞ୍ଚି କହିଛନ୍ତି, ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି । ବିଜେଡିରେ ଆଜି ମନ୍ମଥଙ୍କ ମିଶ୍ରଣ ପରେ ଚର୍ଚ୍ଚା ଜୋର ଧରିଛି, ସେ ଜଟଣୀରୁ ବିଜେଡି ଟିକେଟରେ ଲଢିପାରନ୍ତି । ଆଉ ମଧ୍ୟ ସବୁଠି ଆଲୋଚନା ହେଉଛି, ଭୁବନେଶ୍ୱର ଲୋକସଭା ଆସନରୁ ମନ୍ମଥ ପ୍ରାର୍ଥୀ ହୋଇପାରନ୍ତି। ମନ୍ମଥଙ୍କୁ ଦଳ କେଉଁ ଦାୟିତ୍ୱ ଦେଉଛି ତାହା ଉପରେ ରହିଛି ସମସ୍ତଙ୍କର ନଜର । ଆଜି ମନ୍ମଥ ରାଉତରାୟଙ୍କ ସହ ଜ୍ୟୋତିର୍ମୟୀ ଛୋଟରାୟ, ଦୁଃଶାସନ ସ୍ୱାଇଁ, ପଦ୍ମ ଚରଣ ପ୍ରଧାନ, ଲୁସେନ ରାୟ, ଜିତେନ୍ଦ୍ର ରଥ, କଳିଙ୍ଗ କୁମାର ସାହୁ, ସୁନିଲ ରାଉତରାୟ, ସସ୍ମିତା ଗୁମାନସିଂ, କ୍ଷିତିଶ ପାହାଡ଼ସିଂ, କେଦାରନାଥ ସାହୁ, ବୃନ୍ଦାବନ ସାହୁ, ଜିତେନ୍ଦ୍ର ରଥ, ସଙ୍କେତ ପାଟଶାଣୀଙ୍କ ସହ ଶତାଧିକ ଲୋକ ବିଜେଡ଼ି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *